ବାଲେଶ୍ୱର: ସୋରରେ ଦେଖିବାକୁ ମିଳିଛି ବେଆଇନ ବାଲି ମାଫିଆଙ୍କ ଭୟଙ୍କର ଦୁଃସାହସ। ଅବୈଧ ବାଲି ବୋଝେଇ ଏକ ଦ୍ରୁତଗତି ଟ୍ରକ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହଙ୍କ ସରକାରୀ ଗାଡିକୁ ଧକ୍କା ଦେଇଛି। ଏହି ଘଟଣାରେ ଅତିରିକ୍ତ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଛି।
ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ ସମୟରେ ଏକ ବେଆଇନ ବାଲି ବୋଝେଇ ଟ୍ରକ ପୋଲିସ ଓ ପ୍ରଶାସନଙ୍କୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା। ଟ୍ରକଟି ନଅଟକିବାରୁ ଅତିରିକ୍ତ ତହସିଲଦାର ନିଜେ ଗାଡି ଚଲାଇ ତାହାକୁ ପିଛା କରିଥିଲେ। ତହସିଲ ଗାଡି ଟ୍ରକକୁ ଓଭରଟେକ୍ କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ, ହଠାତ୍ ଦ୍ରୁତଗତିରେ ଆସୁଥିବା ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗାଡିର କାଚ ଭାଙ୍ଗିଯାଇଥିଲା ଓ ଅତିରିକ୍ତ ତହସିଲଦାର ଅଳ୍ପକେ ପ୍ରାଣରକ୍ଷା ପାଇଥିଲେ।
ଘଟଣା ପରେ ଖନ୍ତାପଡା ପୋଲିସ ତୁରନ୍ତ ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ପାଇକାଳି ପୋଲ ନିକଟରେ ଏକ ଷ୍ଟକ ପଏଣ୍ଟରୁ ଦୁଇଟି ବାଲି ଗାଡି ଜବତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପୁଣିଥରେ ପ୍ରମାଣ କରିଦେଇଛି ଯେ, ବେଆଇନ ବାଲି ମାଫିଆଙ୍କ ଦୁଃସାହସ କେତେ ଦୂର ପହଞ୍ଚିଛି। ପ୍ରଶାସନ ଉପରେ ସିଧାସଳଖ ଆକ୍ରମଣ ଘଟିବା ଘଟଣା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।