କଟକ: ଆଜି ପ୍ରକାଶ ପାଇବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏହାକୁ ନେଇ ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀଙ୍କ ମନରେ ଚାଲିଛି ଉତ୍କଣ୍ଠା ଓ ଭୟର ଦ୍ୱନ୍ଦ୍ୱ। “ରେଜଲ୍ଟ କେମିତି ହେବ?” ଏଭଳି ଅନେକ ପ୍ରଶ୍ନ ନେଇ ପିଲାମାନେ ଚାପରେ ରହିଛନ୍ତି। କେବଳ ପରୀକ୍ଷାର୍ଥୀ ନୁହେଁ, ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ସେଇ ଆତୁରତା ଦେଖାଯାଉଛି।
ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରଠାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି ମୁହୂର୍ତ୍ତକୁ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରୁଥିଲେ। ଅନେକଙ୍କ ପାଇଁ ଏହା କେବଳ ଏକ ଫଳାଫଳ ନୁହେଁ, ଆଗାମୀ ଜୀବନର ଦିଗ ନିର୍ଦ୍ଦେଶ କରିବାର ପ୍ରଥମ ପଦକ୍ଷେପ। ତେଣୁ ଏହି ରେଜଲ୍ଟକୁ ନେଇ ଉତ୍ସାହ ସହ ଭୟ ମଧ୍ୟ ଦେଖାଯାଉଛି।
ବୋର୍ଡର ସୂଚନା ଅନୁଯାୟୀ, ଆଜି ଅର୍ଥାତ ମେ’ ୨ ତାରିଖ ଅପରାହ୍ଣ ୪ଟାରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟା ପରଠାରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ନିଜର ରେଜଲ୍ଟ ଦେଖିପାରିବେ। ଏହା ପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in ଉପଲବ୍ଧ ରହିବ। କେବଳ ରୋଲ୍ ନମ୍ବର ଓ ଜନ୍ମତାରିଖ ଦେଲେ ମାତ୍ର କିଛି ସେକେଣ୍ଡ୍ରେ ସ୍କ୍ରିନ୍ରେ ଫଳାଫଳ ଦେଖାଯିବ। ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନେ ସାଇବର କାଫେ କିମ୍ବା ନିଜ ମୋବାଇଲ୍ରୁ ଘରେ ବସି ଖୁବ୍ ସହଜରେ ମାର୍କସିଟ୍ ଡାଉନଲୋଡ୍ କରିପାରିବେ।
ମାଟ୍ରିକ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସତ୍ୟକାମ ମିଶ୍ର କହିଛନ୍ତି, ଏକ ପରୀକ୍ଷା ଜୀବନର ଶେଷ ମାପକ ନୁହେଁ। ଯଦି କେହି କମ ମାର୍କ ପାଉଛନ୍ତି କିମ୍ବା ଫେଲ୍ କରୁଛନ୍ତି, ସେଥିପାଇଁ ‘ଇନଷ୍ଟାଣ୍ଟ ପରୀକ୍ଷା’ ଭଳି ବିକଳ୍ପ ମଧ୍ୟ ରହିଛି। “ଅସଫଳତା ଅନେକ ସମୟରେ ସଫଳତାର ଦ୍ୱାର ଖୋଲିଦିଏ,” ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରିଛନ୍ତି ଯେ, ପିଲାଙ୍କୁ ଅନ୍ୟ ସହ ତୁଳନା କରିବେନି, ଚାପ ପକାଇବେନି। ବରଂ ପିଲା ଖରାପ କଲେ ଗାଳି ନଦେଇ ସମର୍ଥନ ଓ ପ୍ରେରଣା ଦେବା ଆବଶ୍ୟକ। ପରୀକ୍ଷାକୁ ଭୟର ନୁହେଁ, ଉତ୍ସବର ଭଳି ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଏହିବର୍ଷ ପ୍ରଥମଥର ପାଇଁ ଦୁଇଟି ଭାଷାରେ ସାର୍ଟିଫିକେଟ୍ ମିଳିବା ମଧ୍ୟ ଏକ ସକାରାତ୍ମକ ପଦକ୍ଷେପ। ରେଜଲ୍ଟ ଘୋଷଣାର ପୂର୍ବମୁହୂର୍ତ୍ତରେ ଆଶା ଓ ଆଶଙ୍କାର ମଧ୍ୟରେ ରହିଛନ୍ତି ପରୀକ୍ଷାର୍ଥୀମାନେ। କିନ୍ତୁ ମନେ ରଖିବା ଦରକାର, ଏକ ଫଳାଫଳ ନୁହେଁ, ଆତ୍ମବିଶ୍ୱାସ ହିଁ ଭବିଷ୍ୟତ ଗଢ଼େ।