ନୂଆଦିଲ୍ଲୀ: ବିଧାନସଭାକୁ ମଦ ପିଇ ଆସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଶିରୋମଣି ଅକାଳୀ ଦଳ ଏବଂ ପୂର୍ବତନ ଆପ୍ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଉପରେ ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ । ଯାହାର ଭିଡ଼ିଏ ମଧ୍ୟ ସେୟାର କରି ପ୍ରମାଣ ଦେଇଛନ୍ତି ଶିରୋମଣି ଅକାଳୀ ଦଳ ।
ଆଜି ପଞ୍ଜାବ ବିଧାନସଭାରେ ଶ୍ରମିକ ଦିବସ ଉପଲକ୍ଷେ ଅଧିବେଶନ ବସିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଅଭିଭାଷଣ ରଖିଥିଲେ । ତେବେ ବିରୋଧୀ ଶିରୋମଣୀ ଅକାଳୀ ଦଳ ଅଭିଯୋଗ ଆଣିଛି ଯେ ମୁଖ୍ୟମନ୍ତ୍ରୀ ମଦ ପିଇ ବିଧାନସଭାକୁ ଆସିଛନ୍ତି । ଯାହାକୁ କଡ଼ା ନିନ୍ଦା କରିଛି ବିରୋଧୀ ଦଳ । ବିଧାନସଭା ଭଳି ପବିତ୍ର ଗୃହରେ ମଦ ପିଇକି ଆସିବା ଅତ୍ୟନ୍ତ ନିନ୍ଦା ଜନକ ଘଟଣା । ଆଜି ଭଳି ଦିନରେ ମୁଖ୍ୟମନ୍ତ୍ରୀ ଏଭଳି ନିଶାସକ୍ତ ଅବସ୍ଥାରେ ଆସିବାର ନ ଥିଲା । ଏହା କୌଣସି ଆରୋପ ନୁହେଁ ବରଂ ଏହା ସ୍ପଷ୍ଟ ଭାବରେ ଦିଶୁଥିଲା ଯେ ମାନ୍ ମଦ୍ୟପାନ କରିଥିଲେ । ତାଙ୍କ ଶବ୍ଦରେ କୌଣସି ତାଳମେଳ ରହୁନଥିଲା । ଏହା ଗୃହରେ ବସିଥିବା ସମସ୍ତ ସଦସ୍ୟ ଦେଖିଛନ୍ତି ଏବଂ ଅନୁଭବ କରିଛନ୍ତି । ତେଣୁ ଅଭିଯୋଗର ସତ୍ୟତା ପାଇଁ ସମଗ୍ର ପଞ୍ଜାବ ବାସିନ୍ଦାଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କର ଡୋପ୍ ଟେଷ୍ଟ କରିବାକୁ ଅକାଳୀ ଦଳ ଦାବି କରିଛି । ଏହା ଦ୍ୱାରା ସମ୍ପୂର୍ଣ୍ଣ ପଞ୍ଜାବ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଅସଲ ରୂପ ଦେଖି ପାରିବେ ବୋଲି ଦଳ କହିଛି ।
ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସମ୍ପୂର୍ଣ୍ଣ ମଦ ନିଶାରେ ଗଣତନ୍ତ୍ରର ମନ୍ଦିର, ପଞ୍ଜାବ ବିଧାନସଭାରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ସାଂସଦ ସ୍ୱାତୀ ମାଲିୱାଲ । ଖାଲି ବିଧାନସଭା ନୁହେଁ ଏହି ବ୍ୟକ୍ତି ମଦ୍ୟପାନ କରି ଗୁରୁଦ୍ୱାର, ମନ୍ଦିର ଏବଂ ଲୋକସଭାକୁ ଆସୁଥିଲେ । ମଦ୍ୟପାନ କରି ସରକାରୀ ବୈଠକରେ ଯାଉଥିଲେ ଏବଂ ବିଦେଶରେ ଏତେ ମଦ୍ୟପାନ କରିଥିଲେ ଯେ ତାଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା। ନିର୍ବାଚନ ପୂର୍ବରୁ, ସେ ତାଙ୍କ ମାଆଙ୍କ ମୁଣ୍ଡରେ ହାତ ରଖି ଘୋଷଣା କରିଥିଲେ ଯେ ସେ ଆଉ କେବେ ମଦ ପିଇବେ ନାହିଁ। ପଞ୍ଜାବ ଭଳି ଏକ ସମ୍ବେଦନଶୀଳ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁବେଳେ ନିଶାଗ୍ରସ୍ତ ରୁହନ୍ତି... ନିଶାଗ୍ରସ୍ତ ଅବସ୍ଥାରେ ଫାଇଲରେ ସାଇନ୍ କରନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ସ୍ୱାତୀ ମାଲିୱାଲ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମାନଙ୍କର ଆଲକୋହଲ ଟେଷ୍ଟ କରାଯିବା ଉଚିତ ଏବଂ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଉଚିତ ବୋଲି ସ୍ୱାତୀ କହିଛନ୍ତି ।
ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ମାନ୍ କିମ୍ବା ଆମ ଆଦମୀ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।