ନୟାଗଡ଼: ଦ୍ୱିତୀୟ ବୈଷ୍ଣୋ ଦେବୀ ପୀଠ ଭାବେ ପରିଚିତ ନୟାଗଡ଼ର ମା ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୁତ୍ତ । ଜାମୁକୋଣ ପାହାଡ଼ରେ ଥିବା ମା ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି । ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍ ହୋଇଛି । ଏ ନେଇ ଶରଣକୁଳ ଥାନାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି ।
ଜାମୁକୋଣ ପାହାଡ଼ରେ ୧୮୦ ଫୁଟର ଗୁମ୍ଫା ଭିତରରେ ମାଆଙ୍କ ମନ୍ଦିର ସ୍ଥାପନା କରାଯାଇଛି । ଗତକାଲି କାଳବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ପବନ ହୋଇଥିଲା । ଫଳରେ କରେଣ୍ଟ ଚାଲିଯାଇଥିଲା । ଏହି ସମୟରେ ବିଜୁଳି ଘଡ଼ଘଡ଼ି ମାରୁଥିବାରୁ ମନ୍ଦିରର ସମସ୍ତ ସିସିଟିଭି କ୍ୟାମେରାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ମନ୍ଦିର ମୁଖ୍ୟ ଦ୍ୱାରର ତାଲାକୁ କାଟି ଗୁମ୍ଫା ଭିତରକୁ ଯାଇ ଦେବୀ ମାଆଙ୍କ ସମସ୍ତ ଆଭୂଷଣ ଚୋରି କରି ନେଇଛନ୍ତି । ମାଆଙ୍କ ସୁନା ହାର, ରୁପାର ଛତ୍ରୀ ୩ଟି, ସୁନା କିରଟି ୩ଟି, ହାର ୩ ଟି, ରୂପା ଚାନ୍ଦୁଆ ୧ଟି, ଅଖଣ୍ଡ ରୂପା ଦୀପ ୧ଟି ଓ ଖଣ୍ଡା ୧ ଟି ଚୋରି ହୋଇଥିବା ଜଣାପଡିଛି । ଏସବୁର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି ।
ଆଜି ସକାଳେ ମନ୍ଦିର ଖୋଲିବା ପରେ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଥିଲା । ଖବର ପାଇ ଆଜି ସକାଳୁ ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଥାନା ଅଧିକାରୀ ସୁଜିତ୍ କୁମାର ଦାସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତନାଘନା ଆରମ୍ଭ କରିଛି। ଏହା ଏକ ଯୋଜନା ବଦ୍ଧ ଚୋରି ବୋଲି ସନ୍ଦେହ କରାଯାଉଛି । ତେବେ ଗତକାଲି ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ପୋଲିସ ଜେରା ଜାରି ରଖିଛି ।