ଭୁବନେଶ୍ୱର ; ରାଜ୍ୟରେ କାଳବୈଶାଖୀ ତାଣ୍ଡବ। ତେବେ ଆସନ୍ତା ୫ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏପରିକି ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବୋହିବ। ତେବେ ଆଜି ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବଜ୍ରପାତ ସହ ପବନ ବହିବା ସମ୍ଭାବନା। ତେଣୁ ଏହି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଏହି କାଳବୈଶାଖୀ ବର୍ଷା ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି।
ତେବେ ଗତକାଲି ରାଜଧାନୀ ଭୁବନେଶ୍ଵରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ସନ୍ଧ୍ୟାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା। ଆକାଶରେ କଳାହାଣ୍ଡିଆ ବାଦଲ ସହ ମାଡ଼ି ଆସିଲା ବର୍ଷା ପବନ। କେଉଁଠି ବିଜୁଳି ମାରିଥିବା ବେଳେ ଆଉ କେଉଁଠି ହୋର୍ଡିଂ ଖସି ପଡ଼ିଛି। ନୀଳାଦ୍ରି ବିହାର ସୋମନାଥ ବସ୍ତିରେ ଅଘଟଣ। ଘର ଉପରେ ବଜ୍ରପାତ ହୋଇଛି। ଏହା ସହିତ ବଜ୍ରପାତରେ ଘର ଛପର ଉଡି ଯାଇଛି। ସେହିପରି କଟକ ସତରୀଚଉରା ଛକରେ କାଳବୈଶାଖୀ ପ୍ରଭାବରେ ୩୦ ଫୁଟର ହୋର୍ଡିଂ ଭୁଶୁଡ଼ି ପଡ଼ିଛି। ବାଙ୍କୀ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଓ ବର୍ଷା। ପ୍ରଭାବରେ ଭାଙ୍ଗିଲା ବଡ଼ ବଡ଼ ଗଛ। ରାସ୍ତାରେ ଉପରେ ଗଛ ପଡ଼ି ଯାତାୟାତ ଠପ୍ ହୋଇଯାଇଛି।
ଅନ୍ୟପଟେ ପାରାଦୀପରେ ୨ଘଣ୍ଟା ଧରି ବର୍ଷା ପବନ ହୋଇଥିଲା। ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ନୂଆପଡ଼ା ସୁବର୍ଣ୍ଣପୁରରେ ବର୍ଷା ସହ କୁଆପଥର ମାଡ। ବୋଡ଼େନ ବ୍ଲକ ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ଘଡ଼ଘଡ଼ି ବର୍ଷା ଓ କୁଆପଥର ମାଡ଼ ହୋଇଛି। କୁଆପଥର ମାଡରେ ଚାଷୀଙ୍କ ରବିଧାନ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ ଭୟଭୀତ ହୋଇଛନ୍ତି। ତେବେ ଆଜି ମଧ୍ୟ ସେହିପରି ସନ୍ଧ୍ୟାରେ ବର୍ଷା ସହିତ ଘଡଘଡି ମାରିବାର ସମ୍ଭାବନା ରହିଛି।