ପୁଣି ଆସିଲା ହାତୀ ମୃତ୍ୟୁ ଖବର। ବଲାଙ୍ଗୀର ମୁରିବାହାଲ ରେଞ୍ଜରେ ଦନ୍ତା ହାତୀର ମୃତଦେହ ମିଳିଛି। ଅନେକ ଦିନ ଧରି ହାତୀପଲ ମୁରିବାହାଲର ରେଞ୍ଜର ବିଭିନ୍ନ ଗାଁରେ ଉପଦ୍ରବ କରୁଥିଲେ। ହେଲେ ଆଜି ସକାଳୁ ଚାନୁଟମାଲ ଗାଁ ନିକଟରେ ଥିବା ଏକ କାଜୁ ବଗିଚାରେ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ହାତୀଟି ଲଙ୍କା ଆମ୍ବ ଖାଇବାକୁ କାଜୁ ବଗିଚାରେ ପଶିଥିବାବେଳେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେପଟେ ପ୍ରାୟ ୪ ମାସ ଭିତରେ ଦୁଇ ଦୁଇଟି ଦନ୍ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏବେ ଏହି ଦନ୍ତା ହାତୀର ମୃତ୍ୟୁ ପରେ ବନ ବିଭାଗ ଓ ବିଦ୍ୟୁତ ବିଭାଗ ପରସ୍ପରକୁ ଦୋଷ ଲଦିଛନ୍ତି।
ବନ ଅଧିକାରୀଙ୍କ ପ୍ରାଥମିକ ଆକଳନରୁ ଜଣାପଡିଛି ଯେ, ହାତୀଟି ବଗିଚା ଭିତରେ ଥିବା ଏକ ବୋରୱେଲ ସହିତ ସଂଯୁକ୍ତ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛି। ଏନେଇ ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ କହିଛନ୍ତି, ହାତୀଟି ବଗିଚା ଦେଇ ଯିବା ସମୟରେ ବିଦ୍ୟୁତ୍ ଆଘାତର ଶିକାର ହୋଇଥାଇପାରେ।
ସେପଟେ ମୁରିବାହାଲ ବିଦ୍ୟୁତ୍ ବିଭାଗ ଅଧିକାରୀ ମହମ୍ମଦ ଜୁନେଦ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ପୂର୍ବ ରାତିରେ ସେହି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ରହିଥିଲା। ତେବେ ହାତୀଟି ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁବରଣ କରିଥାଇପାରେ ବୋଲି ସେ କହିଛନ୍ତି।
ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ପରିବେଶବିତ୍ ଏବଂ ସ୍ଥାନୀୟ ଲୋକମାନେ ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି।
ଅଧିକ ପଢନ୍ତୁ: ହାତୀ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ