କଳାହାଣ୍ଡି: କ୍ରମାଗତ ତୃତୀୟ ଦିନରେ କଳାହାଣ୍ଡି ଜିଲ୍ଲାରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର କଳାହାଣ୍ଡିରେ ମୃଦୁ ଭୂମିକମ୍ପ ହୋଇଛି । ଅପରାହ୍ନ ପ୍ରାୟ ୨ଟା ୨୧ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ତଥା କେନ୍ଦ୍ରସ୍ଥଳ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଲଗାତର ତିନି ହେବ ଏଭଳି ଭୂମିକମ୍ପ ପରେ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛନ୍ତି ।
ସୂଚନାଥାଉକି, ଗତ ବୁଧବାର ମଧ୍ୟ କଳହାଣ୍ଡିରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରୁ ୭ଟା ୪୫ ମଧ୍ୟରେ ଧର୍ମଗଡ ଉପକଣ୍ଠ କୋକସରା ଲଡୁଗାଁ ଜୁନାଗଡ ଗୋଲାମୁଣ୍ଡା ଅଞ୍ଚଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରାୟ ୩ ସେକେଣ୍ଡ ଯାଏ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଭୟଭୀତ ହୋଇ ଲୋକେ ଘରକୁ ବାହାରି ଆସିଥିଲେ। ବୁଧବାର ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୧ ରହିଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଥିଲା କଳାହାଣ୍ଡି । ସେହିପରି ଗତକାଲି ଗୁରୁବାର ମଧ୍ୟ ଭୂମିକମ୍ପ ହୋଇଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୨୦ ମିନିଟ ସମୟରେ ଜିଲ୍ଲାର କିଛି ସ୍ଥାନରେ ଏହି କମ୍ପନ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ର ସୂଚନା ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରେକର୍ଡ କରାଯାଇଛି ।
ତେବେ ଲଗାତର ଏଭଳି ଭୂମି କମ୍ପ ପରେ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛନ୍ତି । କାହିଁକି କାହିଁକି ବାରମ୍ବାର ଜିଲ୍ଲାର ଭୂମି କମ୍ପ ହେଉଛି ତାହା ଜଣାପଡ଼ିନାହିଁ ।