ଭୁବନେଶ୍ୱର: ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ବସିଥିବା ଦିନିକିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଶେଷ ହୋଇଛି । ଦିନ ତମାମର ଆଲୋଚନା, ଆରୋପ ପ୍ରତ୍ୟାରୋପ ଏବଂ ମହାବିତର୍କ ପରେ ଶେଷରେ ରାତି ଅଧର ଗୃହ ସ୍ଥଗିତ ରହିଛି । ଦିନ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ରାତି ୧୨ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିଲା । ପ୍ରାୟ ୧୩ଟା ୪୫ ଘଣ୍ଟା ଧରି ମହିଳାଙ୍କ ଅଧିକାର ଉପରେ ଆଲୋଚନା ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ ୨୦୨୩କୁ କାର୍ଯ୍ୟକାରୀ କରିବା ପାଇଁ ଆଗତ କରିଥିବା ସଂକଳ୍ପ ପାରିତ ହୋଇଛି । ସମସ୍ତ ଦଳରୁ ପ୍ରାୟ ୪୦ରୁ ଅଧିକ ବିଧାୟକ ଓ ବିଧାୟିକାମାନେ ଆଲୋଚନାରେ ଭାଗ ନେଇଥିଲେ। ଦିନ ତମାମ ଗୃହ ସରଗରମ ରହିଥିଲା । ଦିନିକିଆ ଅଧିବେଶନରେ ମଧ୍ୟ ନାରାବାଜି, କକ୍ଷତ୍ୟାଗ ଏବଂ ଧାରଣା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିରୋଧୀ ମହିଳା ସଂରକ୍ଷଣ ସହିତ କଙ୍କାଳ ପ୍ରସଙ୍ଗକୁ ନେଇ ମଧ୍ୟ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ଦଳ କଙ୍କାଳ ବୁହା ପ୍ରସଙ୍ଗକୁ ନେଇ ପ୍ରବଳ ତୁମ୍ବି ତୋଫାନ କରି କକ୍ଷତ୍ୟାଗ କରିଥିଲା । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ । ଯାହାର କଡ଼ା ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ମୁଖ୍ୟମନ୍ତ୍ରୀ ସଂକଳ୍ପ ଆଗତ ସମୟରେ କହିଥିଲେ ଯେ ଆଜିର ଏହି ଅଧିବେଶନ କେବଳ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକ୍ରାନ୍ତରେ ନୁହେଁ। ଆଜିର ଅଧିବେଶନ ମହିଳା ସଶକ୍ତିକରଣ, ବିଶେଷଭାବେ ରାଜନୈତିକ ସଶକ୍ତିକରଣ ବିଷୟରେ ଆଲୋଚନା ପାଇଁ ଆହୁତ କରାଯାଇଛି । ମହିଳା ସଶକ୍ତିକରଣର ପ୍ରକୃତ ସଂଜ୍ଞା ହେଉଛି ନିଜେ ନିଜ ପାଇଁ, ପରିବାର ପାଇଁ ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର। ତେଣୁ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ହିଁ ହେଉଛି ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ।
ମୁଖ୍ୟମନ୍ତ୍ରୀ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କଂଗ୍ରେସ ଦଳର ୧୯୮୪ ମସିହାରେ ସଂସଦରେ ତିନି-ଚତୁର୍ଥାଂଶ ଆସନ ଥିଲା । କିନ୍ତୁ, କାହିଁକି ସେମାନେ ଏହି ମହତ୍ବପୂର୍ଣ୍ଣ ବିଲକୁ ପାଶ କରି ନ ଥିଲେ। ଆଜି ଯେଉଁମାନେ ଆମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେମାନେ ନିଜର ଇତିହାସ ଜାଣିବା ଆବଶ୍ୟକ।
ସେହିପରି ବିଜୁ ଜନତା ଦଳ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବାଃ ବାଃ ଲୁଟିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ, ଯେତେବେଳେ ବିଧାନସଭା ଓ ଲୋକସଭା ପାଇଁ ଆରକ୍ଷଣ କଥା ଉଠୁଛି ସେମାନେ କାହିଁକି ମହିଳା ବିରୋଧୀ ଆଭିମୁଖ୍ୟ ନେଉଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ପଣ୍ଡାଙ୍କର ସଂରକ୍ଷଣ ଅଧିକାର କ୍ଷୁର୍ଣ୍ଣ ହୁଏନି । ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କିମ୍ବା ସଂସଦକୁ ପଠାଯାଇନି, ସେପର୍ଯ୍ୟନ୍ତ ସେମାନଙ୍କୁ ଉଚିତ ସମ୍ମାନ ମିଳିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦୀ ସରକାର ରାଷ୍ଟ୍ରପତି, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଜଣେ ଜଣେ ମହିଳା । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ ଉପସ୍ଥାପନା କରିଛନ୍ତି। ତେଣୁ ନାରୀ ଶକ୍ତି ବନ୍ଦନର ଆବଶ୍ୟକତା ଅଛି । କିନ୍ତୁ ବିରୋଧୀ ଏଥିରେ ବ୍ରେକ ଲଗାଇଛନ୍ତି । ଏହାର ଉଚିତ ଜବାବ ମହିଳା ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।