ଭୁବନେଶ୍ୱର: ଓଡ଼ିଶାର ରାଜନୀତିରେ ପୁଣିଥରେ ତୀବ୍ର ବିତର୍କ ଦେଖାଦେଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିବାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜିତୁ ମୁଣ୍ଡା ଘଟଣାକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଲେଖିଥିବା ତାଙ୍କ ଚିଠିରେ କେନ୍ଦୁଝରର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଘଟିଥିବା ଅମାନବୀୟ ଘଟଣାକୁ ଉଠାଇଥିଲେ। ସେ କହିଥିଲେ ଯେ, ଏହି ଘଟଣା ସମଗ୍ର ଓଡ଼ିଶାର ମନୋଭାବକୁ ଆଘାତ ଦେଇଛି ଏବଂ ବ୍ୟାଙ୍କିଂ ବ୍ୟବସ୍ଥାରେ ଅଧିକ ମାନବିକତା ଆଣିବା ଆବଶ୍ୟକ। ବିଶେଷକରି ଦୂରବର୍ତ୍ତୀ ଆଦିବାସୀ ଅଞ୍ଚଳରେ ସେବା ଦେବାରେ ସହାନୁଭୂତି ଦରକାର ବୋଲି ସେ ଉଲ୍ଲେଖ କରିଥିଲେ।
ଅନ୍ୟପଟେ ନବୀନଙ୍କ ଚିଠି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନବୀନ ବାବୁ “ଚିଠି ରାଜନୀତି” ବନ୍ଦ କରନ୍ତୁ। ଏଥିସହ ସେ ଦାନ ମାଝୀ ଘଟଣାକୁ ସ୍ମରଣ କରାଇ କହିଛନ୍ତି ଯେ, ସେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ରାଜ୍ୟ ସରକାରଙ୍କ ତ୍ରୁଟି ଥିଲା। ତେବେ ସେତେବେଳେ କାହିଁକି କୌଣସି ଚିଠି ଲେଖାଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଜିତୁ ମୁଣ୍ଡା ଘଟଣାରେ ଏକ ବ୍ୟାଙ୍କିଂ ସମସ୍ୟା ଥିଲା ଏବଂ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଡିସି ସ୍ତରର ତଦନ୍ତ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।