ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ପରେ ବାହାରିଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଆଜି (ଶନିବାର) ଅପରାହ୍ନ ୪ଟାରେ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ବିଧିବଦ୍ଧ ଭାବେ ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିଛନ୍ତି। ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ।
ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ଏଥର ମୋଟ୍ ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ A1ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A2ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। B1ରେ ୪୩,୫୬୫ ପରୀକ୍ଷାର୍ଥୀ, B2ରେ ୮୬,୧୦୩ ପରୀକ୍ଷାର୍ଥ, Cରେ ୧,୨୯,୮୦୩ ପରୀକ୍ଷାର୍ଥୀ, Dରେ ୧,୪୬,୧୫୨ ପରୀକ୍ଷାର୍ଥୀ ଏବଂ Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍ ହାର ୫୯.୮୨%ରହିଛି। ୧୦,୦୪୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୭୪୦୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଛାତ୍ରଛାତ୍ରୀ ମାନେ ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ। ଏଥିପାଇଁ ମୋବାଇଲରେ OR 10 ଲେଖି ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ପାଇପାରିବେ।
ଚଳିତବର୍ଷ ଠାରୁ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀମାନେ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପାଇବେ। ଉଭୟ ଓଡିଆ ଓ ଇଂରାଜୀରେ ସାର୍ଟିଫିକେଟ୍ ମିଳିବ। ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।