ଭୁବନେଶ୍ୱର: ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା (OJEE)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ OJEE-୨୦୨୬ର ରେଜଲ୍ଟ ବୁକଲେଟ୍ ଉନ୍ମୋଚନ କରି ଫଳାଫଳ ଘୋଷଣା କରିଛନ୍ତି।
ଚଳିତ ବର୍ଷ OJEE ପାଇଁ ମୋଟ ୧ ଲକ୍ଷ ୩ ହଜାର ୪୩୪ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷାର୍ଥୀ କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଉପସ୍ଥାନ ହାର ୮୯.୫୫ ପ୍ରତିଶତ ରହିଥିବା ସୂଚନା ମିଳିଛି।
ବିଭିନ୍ନ ବିଷୟରେ ଏଥର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ବି.ଫାର୍ମରେ ଶୁଭ୍ରାଂଶୁ ସୂତାର, ଏମ୍ବିଏରେ ତ୍ରିବିକ୍ରମ ପ୍ରଧାନ, ଏମ୍ସିଏରେ ନରେନ ପାତ୍ର ଓ ସାମଗ୍ରିକ ଭାବେ ଏବଂ ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପ୍ପର ହୋଇଛନ୍ତି।
ପରୀକ୍ଷାର୍ଥୀମାନେ OJEEର ଅଫିସିଆଲ ୱେବସାଇଟ୍ରୁ ନିଜର ର୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ। ଏହାପରେ ସରକାରୀ ଓ ବେସରକାରୀ କଲେଜଗୁଡ଼ିକରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ଯୋଗଦେଇପାରିବେ।
ସୂଚନା ଅନୁଯାୟୀ, ଗତ ମେ’ ୪ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାର ୯୩ଟି କେନ୍ଦ୍ରରେ OJEE ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହାସହ କୋଲକାତା, ରାଞ୍ଚି ଓ ପାଟନା ଭଳି ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲା।
ଅନ୍ୟପଟେ, ୨୦୨୬-୨୭ ଶିକ୍ଷାବର୍ଷରେ ୧୬ଟି ନୂଆ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କାର୍ଯ୍ୟକ୍ରମ ସାମିଲ କରାଯିବ ବୋଲି ବିଭାଗ ସୂଚନା ଦେଇଛି। ଚଳିତ ମାସର ତୃତୀୟ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ।