ମଧ୍ୟପ୍ରଦେଶ: ମାତ୍ର ଦୁଇ ମିନିଟ୍ର ବିଳମ୍ବ। ଆଉ ସେହି ଦୁଇ ମିନିଟ୍ ହିଁ ଛଡାଇନେଲା ଗୋଟିଏ ଛାତ୍ରୀର ଭବିଷ୍ୟତର ସୁଯୋଗ। ମଧ୍ୟପ୍ରଦେଶର ବିଦିଶାରୁ ଆସିଥିବା ଏହି ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଭାବୁକ କରିଦେଇଛି।
NEET ପରୀକ୍ଷା ପାଇଁ ନିଜ ଝିଅକୁ ନେଇ ବିଦିଶାର ସରକାରୀ ଗର୍ଲ୍ସ କଲେଜ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଜଣେ ବାପା। କିନ୍ତୁ ଘଣ୍ଟାର କାଠି ସେମାନଙ୍କ ପକ୍ଷରେ ନଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୩୦ ମିନିଟ୍ରେ ଗେଟ୍ ବନ୍ଦ ହୋଇଯାଇଥିଲା। ବାପା-ଝିଅ ପହଞ୍ଚିଥିଲେ ୧ଟା ୩୨ ମିନିଟ୍ରେ।
ମାତ୍ର ଦୁଇ ମିନିଟ୍ ପାଇଁ ଝିଅକୁ ପରୀକ୍ଷା ହଲ୍କୁ ଯିବାକୁ ଅନୁମତି ମିଳିଲାନି। ବାପା ବାରମ୍ବାର ହାତ ଯୋଡ଼ି ଅଧିକାରୀଙ୍କୁ ଅନୁରୋଧ କଲେ। ଝିଅକୁ ଭିତରକୁ ଛାଡ଼ିଦେବା ପାଇଁ କାନ୍ଦି କାନ୍ଦି ଗୁହାରି କଲେ। କିନ୍ତୁ ନିୟମର ଦୁଆର ଖୋଲିଲାନି।
ଗେଟ୍ ବାହାରେ ନିରାଶ ହୋଇ ବସିପଡ଼ିଲେ ସେ। ନିଜକୁ ସମ୍ଭାଳି ନ ପରି ଭୋ ଭୋ ହୋଇ କାନ୍ଦି ତଳେ ପଡି ଅଚେତ ହେଇଗଲେ। ବର୍ଷ ବର୍ଷର ପରିଶ୍ରମ, ଅନେକ ତ୍ୟାଗ, ଅଗଣିତ ଆଶା ଓ ସ୍ୱପ୍ନ... ସବୁକିଛି ମୁହୂର୍ତ୍ତକ ମଧ୍ୟରେ ଭାଙ୍ଗିଯାଇଥିଲା।
ଏହି ଭିଡିଓ କେବଳ ଜଣେ ବାପାଙ୍କ ଅସହାୟତାର କାହାଣୀ ନୁହେଁ। ଏହା ସେହି ହଜାର ହଜାର ପରିବାରର କାହାଣୀ, ଯେଉଁମାନେ ସନ୍ତାନଙ୍କ ସ୍ୱପ୍ନ ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସେହି ଛାତ୍ରଛାତ୍ରୀଙ୍କ ବେଦନା, ଯେଉଁମାନେ ଗୋଟିଏ ପରୀକ୍ଷା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି।
ନିୟମ ନିଶ୍ଚିତ ଭାବେ ଆବଶ୍ୟକ। ପରୀକ୍ଷା ପରିଚାଳନାରେ ସମୟାନୁବର୍ତ୍ତିତା ମଧ୍ୟ ଜରୁରୀ। କିନ୍ତୁ ଏହି ଘଟଣା ପରେ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି, ମାତ୍ର ଦୁଇ ମିନିଟ୍ର ବିଳମ୍ବ ପାଇଁ କି ଜଣେ ଛାତ୍ରୀଙ୍କ ଗୋଟିଏ ବର୍ଷର ପରିଶ୍ରମ ଓ ସ୍ୱପ୍ନକୁ ଅଟକାଇ ଦେବା ଠିକ୍ କି?
ସେହି ଦିନ ଗେଟ୍ ବନ୍ଦ ହୋଇଥିଲା ମାତ୍ର ଦୁଇ ମିନିଟ୍ ପୂର୍ବରୁ। କିନ୍ତୁ ସେହି ଦୁଇ ମିନିଟ୍ରେ ହୁଏତ ଜଣେ ଝିଅର ଡାକ୍ତର ହେବାର ସ୍ୱପ୍ନ, ଜଣେ ବାପାଙ୍କ ଆଶା ଏବଂ ଗୋଟିଏ ପରିବାରର ଅପେକ୍ଷା ନିରବରେ ଭାଙ୍ଗି ଯାଇଥିଲା।