ବାଲେଶ୍ୱର: ଦୀର୍ଘ ଦିନର ଅନିଶ୍ଚିତତା ଓ ଆନ୍ଦୋଳନ ପରେ ଶେଷରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ପଢ଼ୁଥିବା ବିଏସ୍ସି ନର୍ସିଂ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ବହୁ ପ୍ରତୀକ୍ଷିତ ୭ମ ସେମିଷ୍ଟର ପରୀକ୍ଷା କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଔପଚାରିକ ଭାବେ ପ୍ରକାଶ କରାଯାଇଛି। ପରୀକ୍ଷା ସୂଚୀ ପ୍ରକାଶ ପାଇବା ପରେ ଦୀର୍ଘ ଦିନ ଧରି ଚିନ୍ତାରେ ଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ମନରେ ଆଶ୍ୱସ୍ତି ଦେଖାଦେଇଛି।
ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୭ମ ସେମିଷ୍ଟର ଥିଓରି ପରୀକ୍ଷା ଜୁଲାଇ ୧୪ ଓ ୧୫ ତାରିଖରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପରେ ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୧୭ ଓ ୧୮ ତାରିଖରେ ହେବ। ୨୦୨୧-୨୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ସାମିଲ ହେବେ।
ପରୀକ୍ଷାରେ ‘କମ୍ୟୁନିଟି ହେଲ୍ଥ ନର୍ସିଂ’ ଓ ‘ମିଡ୍ୱାଇଫେରୀ/ଅବଷ୍ଟେଟ୍ରିକ୍ସ ଆଣ୍ଡ ଗାଇନିକୋଲୋଜି (OBG) ନର୍ସିଂ’ ବିଷୟର ଥିଓରି ପେପର ରହିଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ। ଏହାସହ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ଜୁଲାଇ ୧୮ ତାରିଖ ଅପରାହ୍ନ ୩ଟା ସୁଦ୍ଧା ବିଶ୍ୱବିଦ୍ୟାଳୟରେ ଦାଖଲ କରିବାକୁ ସମ୍ପୃକ୍ତ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପରୀକ୍ଷା ସୂଚୀ ପ୍ରକାଶରେ ବିଳମ୍ବକୁ ନେଇ ଗତ କିଛି ସପ୍ତାହ ଧରି ନର୍ସିଂ ଛାତ୍ରଛାତ୍ରୀମାନେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସମ୍ମୁଖରେ ଧାରଣା ଦେଇଥିଲେ। ଚାରି ବର୍ଷର ପାଠ୍ୟକ୍ରମ ଛଅ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ପରୀକ୍ଷା ହୋଇନଥିବାରୁ ସେମାନଙ୍କ ଶିକ୍ଷାଗତ ଓ ବୃତ୍ତିଗତ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ପଡ଼ିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ କ୍ଷୋଭ ତୀବ୍ର ହୋଇଥିଲା।
ଶେଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯିବା ସହ ଅନୁବନ୍ଧିତ ସମସ୍ତ ନର୍ସିଂ କଲେଜକୁ ତୁରନ୍ତ ଏହା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଛି। ସେହିପରି ପରୀକ୍ଷା ସୂଚୀରେ କୌଣସି ତ୍ରୁଟି କିମ୍ବା ସମୟରେ ସଂଘର୍ଷ ଥିଲେ ତୁରନ୍ତ ବିଶ୍ୱବିଦ୍ୟାଳୟକୁ ଜଣାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଗୁରୁବାର ଏନେଇ ଦିନ ତମାମ ନର୍ସିଂ ଛାତ୍ରଛାତ୍ରୀ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପରେ ରାତିରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ଏପରିକି ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ି ହାତ ଯୋଡି ଗୁହାରି କରିଥିଲେ ଛାତ୍ର ଛାତ୍ରୀ।
ଶେଷରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥିଲେ। ତୁରନ୍ତ ଏହାର ସମାଧାନ କରି ଏବେ ପରୀକ୍ଷା ତାରିଖ ଘୋଷଣା ହୋଇଛି। ତେବେ ଆଗାମୀ ଦିନରେ ଏଭଳି ବିଳମ୍ବ ନହେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ଘୋଷଣା ନର୍ସିଂ ଛାତ୍ରଛାତ୍ରୀଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇବା ସହ ସେମାନଙ୍କ ଶିକ୍ଷାଜୀବନକୁ ପୁଣି ଥରେ ସ୍ୱାଭାବିକ ଧାରାକୁ ଫେରାଇବ ବୋଲି ଆଶା କରାଯାଉଛି।