ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ବନ୍ୟା ଯୋଗୁଁ ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା-୨୦୨୭ ପାଇଁ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା (BSE)।
ପୂର୍ବରୁ ଜୁଲାଇ ୩୧ ତାରିଖ ଫର୍ମ ଫିଲ୍-ଅପ୍ର ଶେଷ ତାରିଖ ରହିଥିଲା। ତେବେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ କରିପାରିବେ। ଶୁକ୍ରବାର ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅନେକ ବିଦ୍ୟାଳୟର ସ୍ୱାଭାବିକ କାର୍ଯ୍ୟ ପ୍ରଭାବିତ ହୋଇଛି। ରାସ୍ତାଘାଟରେ ପାଣି, ଯାତାୟାତରେ ବାଧା, ଇଣ୍ଟରନେଟ୍ ସଂଯୋଗରେ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଅନେକ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ୍ ଫର୍ମ ପୂରଣ କରିପାରିନଥିଲେ। ଏଭଳି ସ୍ଥିତିରେ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ପରୀକ୍ଷା ଦେବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ବୋର୍ଡ ଏହି ସମୟସୀମା ବଢ଼ାଇଛି।
ସଂଶୋଧିତ ସମୟସୀମା ମଧ୍ୟରେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲ୍-ଅପ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଧାନଶିକ୍ଷକମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶେଷ ଦିନକୁ ଅପେକ୍ଷା ନକରି ଯଥାଶୀଘ୍ର ଫର୍ମ ପୂରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ଶେଷ ମୁହୂର୍ତ୍ତରେ କୌଣସି ବୈଷୟିକ ସମସ୍ୟା ହେଲେ ଅସୁବିଧା ନହୁଏ।