ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ ତ୍ରୁଟିମୁକ୍ତ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ସ୍କୁଲ ପାଠ୍ୟପୁସ୍ତକରେ ରହିବ ବାରକୋଡ୍ ବ୍ୟବସ୍ଥା। ଏହା ମାଧ୍ୟମରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପାଠ୍ୟବସ୍ତୁ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ସାମଗ୍ରୀକୁ ସହଜରେ ପାଇପାରିବେ।
ଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାକୁ ସୀମିତ ସଂଖ୍ୟାରେ ପାଠ୍ୟପୁସ୍ତକ ପଠାଯିବ। ସେହି ବହିଗୁଡ଼ିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାଞ୍ଚ କରିବେ। ପାଠ୍ୟପୁସ୍ତକରେ କୌଣସି ତଥ୍ୟଗତ, ବ୍ୟାକରଣଗତ କିମ୍ବା ମୁଦ୍ରଣ ତ୍ରୁଟି ଥିଲେ ତାହାକୁ ଚିହ୍ନଟ କରି ବିଭାଗକୁ ଅବଗତ କରାଯିବ। ଏହାପରେ ଚୂଡ଼ାନ୍ତ ସଂଶୋଧନ କରାଯାଇ ବ୍ୟାପକ ଭାବେ ବହି ଛପାଯିବ।
ଏହି ନୂଆ ବ୍ୟବସ୍ଥାର ସବୁଠୁ ବଡ଼ ଆକର୍ଷଣ ହେଉଛି ବାରକୋଡ୍। ପାଠ୍ୟପୁସ୍ତକରେ ଥିବା ବାରକୋଡ୍କୁ ସ୍କାନ୍ କଲେ ସମ୍ପର୍କିତ ଅଧ୍ୟାୟର ଭିଡିଓ, ଡିଜିଟାଲ କଣ୍ଟେଣ୍ଟ, ଚିତ୍ର, ଅତିରିକ୍ତ ସୂଚନା ଓ ଶିକ୍ଷାଦାନ ସାମଗ୍ରୀ ମୋବାଇଲ୍ରେ ଉପଲବ୍ଧ ହେବ। ଫଳରେ ପାଠପଢ଼ା ଅଧିକ ଆକର୍ଷଣୀୟ ଓ ବୁଝିବା ସହଜ ହେବ।
ନିକଟ ଅତୀତରେ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟିକୁ ନେଇ ବିବାଦ ଦେଖାଦେଇଥିଲା। ଏହା ପରେ ଶିକ୍ଷା ବିଭାଗ ପାଠ୍ୟପୁସ୍ତକର ଗୁଣାତ୍ମକ ମାନ ବୃଦ୍ଧି ସହ ତ୍ରୁଟି ରୋକିବା ପାଇଁ ଏହି ନୂଆ ଯୋଜନା ପ୍ରସ୍ତୁତ କରିଛି।
ପ୍ରଯୁକ୍ତି ଓ ଶିକ୍ଷାର ସମନ୍ୱୟ ମାଧ୍ୟମରେ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଅନୁଭୂତି ଆଣିବା ସହ ଶିକ୍ଷାକୁ ଅଧିକ ସ୍ୱଚ୍ଛ, ସହଜ ଓ ଦକ୍ଷ କରିବ ବୋଲି ଆଶା କରାଯାଉଛି।