ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ପାଇଁ କରିଛନ୍ତି ଏକ ବଡ଼ ଘୋଷଣା। ଆର୍ଥିକ ଅନଗ୍ରସର ପରିବାରର ପିଲାମାନଙ୍କୁ ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ମିଳିବ ଦେୟମୁକ୍ତ ଶିକ୍ଷା। ଏହି ଐତିହାସିକ ପଦକ୍ଷେପ ସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠି ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍କୁଲରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣାରେ ପାଠପଢ଼ିବାର ସୁଯୋଗ ପାଇବେ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଗରିବ ଓ ଆର୍ଥିକ ଭାବେ ପଛୁଆ ପରିବାରମାନଙ୍କ ଉପରେ ପାଠପଢ଼ାର ଆର୍ଥିକ ବୋଝ ଅନେକ ହାରେ କମିବ। ଟଙ୍କା ଅଭାବରୁ ଆଉ କୌଣସି ପିଲାଙ୍କ ସ୍ୱପ୍ନ ଅଧାରେ ରହିବ ନାହିଁ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ବିଜେପି ସରକାରର ଦୁଇ ବର୍ଷର ସଫଳତା ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ସରକାର ସବୁବେଳେ ଲୋକକଲ୍ୟାଣ ଓ ଅନ୍ତ୍ୟୋଦୟକୁ ପ୍ରାଧାନ୍ୟ ଦେଇଆସୁଛି। କେବଳ ଶିକ୍ଷା ନୁହେଁ, ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଲୋକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ହିତାଧିକାରୀମାନଙ୍କୁ ଏକାଥରକେ ତିନି ମାସର ଭତ୍ତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଚାଷୀଙ୍କ କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାର ଚାଷୀଙ୍କୁ ଅବହେଳା କରିଥିବାବେଳେ ବର୍ତ୍ତମାନର ଡବଲ ଇଞ୍ଜିନ୍ ସରକାର କୃଷକଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛି। ଆଧ୍ୟାତ୍ମିକ ସ୍ଥଳୀର ବିକାଶ, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଜନକଲ୍ୟାଣମୂଳକ ଯୋଜନା ମାଧ୍ୟମରେ ରାଜ୍ୟର ବିକାଶକୁ ନୂଆ ଦିଗ ମିଳିଛି ବୋଲି ସେ ଦାବି କରିଛନ୍ତି।
ଦୁଇ ବର୍ଷ ପୂର୍ତ୍ତିରେ ଶିକ୍ଷା ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହି ବଡ଼ ଘୋଷଣା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ରହିଛି, ଏହି ଘୋଷଣା କେତେ ଶୀଘ୍ର ଓ କିଭଳି ଭାବେ ଭୂମିସ୍ତରରେ କାର୍ଯ୍ୟକାରୀ ହେଉଛି।