ବଲାଙ୍ଗିର: ଜାତି ପାଖରେ ବନ୍ଧା ପଡ଼ିଛି ମାଆର ମମତା । ଦୁଇ କଅଁଳ ଶିଶୁଙ୍କଠାରୁ ମାକୁ ଅଲଗା କରିଦେଇଛି ଜାତି ଆଣ ଭେଦ ଭାବ । ୨୪ ଦିନ ହେବ ମାଆ ମୁହଁ ଦେଖି ନାହାନ୍ତି ଦୁଇ ପିଲା । ସ୍ତ୍ରୀକୁ ଫେରି ପାଇବାକୁ ଦୁଇ ପିଲାଙ୍କୁ ଧରି ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ । ବଲାଙ୍ଗିର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି କପ୍ ସିଭଟା ଗ୍ରାମର ଗୁଣନିଧି ତାଣ୍ଡି ।
କିଛି ବର୍ଷ ତଳେ କପ୍ ସିଭଟା ଗ୍ରାମର ଗୁଣନିଧି ତାଣ୍ଡି ଅନ୍ୟ ଏକ ଜାତିର ଝିଅ କକୈୟୀ ବନଛୋର୍ ଙ୍କୁ ପ୍ରେମ ବିବାହ କରିଥିଲେ । ଅଲଗା ଜାତି ହୋଇଥିବାରୁ ପରିବାର ଲୋକେ ନ ରାଜି ହେବାରୁ ଉଭୟ କୋର୍ଟରେ ବିବାହ କରିଥିଲେ । ଇତିମଧ୍ୟରେ ତାଙ୍କର ଦୁଇଟି ପିଲା ମଧ୍ୟ ହୋଇସାରିଛି । ଗତ ଏପ୍ରିଲ ମାସ ୩ ତାରିଖ ଦିନ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହେବାରୁ ସେମାନେ ବୁଝାମଣା ପାଇଁ ଟିଟିଲାଗଡ଼ ଥାନାକୁ ଆସିଥିଲେ । ହେଲେ କକୈୟୀଙ୍କ ବାପ ଘର ଲୋକେ ଏ ବିଷୟରେ ଜାଣିପାରି ହଠାତ୍ ଆସି ଟିଟିଲାଗଡ଼ ଥାନାରେ ପହଁଚିଥିଲେ । ଏହା ପରେ ବାପ ଘର ଲୋକେ କକୈୟୀଙ୍କୁ ନେଇଯାଇଥିବା କହିଛନ୍ତି ସ୍ୱାମୀ ଗୁଣନିଧି । ଏପଟେ ଦୁଇଟି ପିଲା ମାଆ ବାଟକୁ ଚାହିଁ ବସିଛନ୍ତି । ପ୍ରାୟ ୨୪ ଦିନ ହେବ ଦୁଇ ପିଲା ମାଆର ମୁହଁ ଦେଖି ନାହାଁନ୍ତି । ବାରମ୍ବାର ଖବର ଦେବା ପରେ ମଧ୍ୟ ସେମାନେ କୈକୟୀଙ୍କୁ ଛାଡ଼ି ନାହାଁନ୍ତି । ଶେଷରେ କିଛି ଉପାୟ ନ ପାଇ ଗୁଣନିଧି ବଲାଙ୍ଗିର ଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି । ତାଙ୍କୁ ଏବଂ ତାଙ୍କ ପିଲାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।
ସେପଟେ ବଲାଙ୍ଗିର ଅତିରିକ୍ତ ଏସପି କହିଛନ୍ତି ଯେ ଅଭିଯୋଗ ପରେ ମାମଲାକୁ ଗ୍ରହଣ କରାଯାଇଛି । ଏ ନେଇ ମହିଳାଙ୍କ ବାପାଘର ଲୋକ ସହିତ କଥାବାର୍ତ୍ତା ହୋଇଛନ୍ତି । ମହିଳାଙ୍କୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ସମୟରେ କାଉନସିଲିଂ କରାଯିବ । ତେବେ ଜାତିଆଣ ନେଇ ସେଭଳି କିଛି ତଥ୍ୟ ମିଳି ନାହିଁ ବୋଲି କହିଛନ୍ତି ଅତିରିକ୍ତ ଏସପି ଗୁଣନିଧି ମଲ୍ଲିକ ।