କୋରାପୁଟ ନନ୍ଦପୁର ବ୍ଲକରେ ଏକ ହୃଦୟବିଦାରକ ଘଟଣା ଘଟିଛି। ନୀଳ ଦୋରାପୁଟ ଗାଁ ନିକଟରେ ମାଟି ଖୋଳିବା ବେଳେ ହଠାତ୍ ଅତଡ଼ା ଖସି ପଡ଼ି ଜଣେ ମହିଳାଙ୍କ ଜୀବନ ନେଇଯାଇଛି, ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଜୀବନ ସଂଘର୍ଷ କରୁଛନ୍ତି।
ଘଟଣା ମୁତାବିକ, ମାଳିବେଲଗାଁର ପାଞ୍ଚ ଜଣ ମହିଳା ସକାଳେ ସାଧାରଣ ଦିନ ଭଳି ଘର ଲିପିବା ପାଇଁ ଧଳା ମାଟି ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ କେହି ଭାବି ନଥିଲେ, ଏହି ସାଧାରଣ କାମ ତାଙ୍କ ପାଇଁ ଏତେ ବଡ଼ ଦୁର୍ଘଟଣାର ରୂପ ନେବ। ମାଟି ଖୋଳିବା ସମୟରେ ହଠାତ୍ ମାଟି ଅତଡ଼ା ଖସି ପଡ଼ି, ତିନି ଜଣ ମହିଳାଙ୍କୁ ଚାପି ଦେଲା।
ଚିତ୍କାର ଶୁଣି ଗାଁଲୋକେ ଦୌଡ଼ି ଆସି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ଆଉ ଜଣେ ମହିଳା ମାଟି ତଳେ ଫସି ରହିଗଲେ। ପରେ ନନ୍ଦପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା ପରେ ମହିଳାଙ୍କୁ ବାହାର କରିଥିଲେ। କିନ୍ତୁ ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା, ଗୁପ୍ତେଶ୍ୱରି ଚୁଡ଼ିଆ ନାମକ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଦୁଃଖଦ ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ବାରିପଦା ବ୍ୟାଙ୍କ ଠକେଇ ମାମଲା; ଜାଲ୍ ଡକ୍ୟୁମେଣ୍ଟରେ ହେଉଥିଲା ଋଣ ବଣ୍ଟନ, ୪ ଦୋଷୀଙ୍କୁ ୩ ବର୍ଷ ଜେଲ୍