କେନ୍ଦୁଝର: ମାଟି ଖୋଳି ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କ୍କୁ ନେବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି।
RDC କର୍ତ୍ତୃପକ୍ଷ ଏନେଇ କହିଛନ୍ତି, ପ୍ରାଥମିକସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଏଥିରେ ରହିଛି। ତେବେ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ସକାଳ ୧୧ଟା ୨୬ମିନିଟ୍ରେ ବ୍ୟାଙ୍କକୁ ପହଞ୍ଚିଥିଲେ ଏବଂ ୧୧ଟା ୫୮ମିନିଟ୍ରେ ବାହାରିଥିଲେ। ଏହି ସମୟ ଭିତରେ ସେ ଚାରିଥର ବ୍ୟାଙ୍କ ଭିତରକୁ ପସି କର୍ମଚାରୀଙ୍କୁ ଭେଟିଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। କିନ୍ତୁ ସିସିଟିଭିରେ ଅଡିଓ ନଥିବାରୁ ସେମାନଙ୍କ ମଧ୍ୟରେ କେଉଁ କଥାବାର୍ତ୍ତା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି ଏହାପରେ ନିରାଶ ଏବଂ କ୍ଷୁବ୍ଧ ହୋଇ ଯାଇ ଶେଷରେ ସେ କଙ୍କାଳ ଧରି ଆସିଛନ୍ତି।
ତେବେ ଘଟଣାକୁ ନେଇ ଯାହା ଘଟିଲା ତାହା ଅତ୍ୟନ୍ତ ଲଜ୍ଜାଜନକ କହିଛନ୍ତି RDC। ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପୂର୍ବରୁ ଚିହ୍ନିଛନ୍ତି। କାରଣ ଦୁଇ ଭାଇଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଫେବ୍ରୁଆରୀରେ କରଲା ମୁଣ୍ଡାଙ୍କ ମୃତ୍ୟୁ ସ୍ୱତେ କାହିଁକି ସାର୍ଟିଫିକେଟ୍ ମିଳିନଥିଲା ସେ ପ୍ରଶ୍ନ କରିଛନ୍ତି। ଏଥିସହ ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ରହିଛି ବୋଲି ମଧ୍ୟ କହିଛନ୍ତି। ତେଣୁ ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି RDC।
କେନ୍ଦୁଝରର ଏହି ଲଜ୍ଜାଜନକ ଘଟଣା ସାରା ଦେଶକୁ ଦୋହଲେଇଦେଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି (ଗୁରୁବାର) ସକାଳୁ ଆରଡିସି ଟିମ୍ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଁଚିଥିଲେ। ଆରଡିସି ଟିମରେ ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ ଜିତୁ ମୁଣ୍ଡାଙ୍କ ସହିତ ଆଲୋଚନା କରିବା ପରେ ବ୍ୟାଙ୍କ ଯାଇ ସେଠାରେ ତଦନ୍ତ କରିଥିଲେ।
ଗତ କିଛି ଦିନ ତଳେ ଜିତୁ ମୁଣ୍ଡା ମଲ୍ଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ମୃତ ଭଉଣୀ କଲରା ମୁଣ୍ଡାଙ୍କ ଟଙ୍କା ଆଣିବାକୁ ଯାଇଥିଲେ । ବ୍ୟାଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲା। ବ୍ୟାଙ୍କ ମୃତ୍ୟୁ ପ୍ରମାଣ ପତ୍ର ମାଗିଥିଲା। ଏହା ପରେ ଜିତୁ ମୁଣ୍ଡା ନିଜେ ଗାତ ଖୋଳି ମୃତ ଭଉଣୀଙ୍କ କଙ୍କାଳ ଉଠାଇ ନେଇଥିଲେ। ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନିନ୍ଦା କରାଯାଇଛି। ପରବର୍ତ୍ତୀ ସମୟରେ ଜିତୁ ମୁଣ୍ଡାଙ୍କୁ ତାଙ୍କର ସମସ୍ତ ଟଙ୍କା ହସ୍ତାନ୍ତର କରାଯାଇଛି। ଏହି ଘଟଣା ବ୍ୟାଙ୍କିଂ ସେବାରେ ମାନବିକତା ଓ ବ୍ୟବହାର ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ଏହାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଯିବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: କଙ୍କାଳ ନେଇ ବ୍ୟାଙ୍କ ଯିବା ମାମଲା: ସ୍ପଷ୍ଟୀକରଣ ଦେଲା ବ୍ୟାଙ୍କ, ପ୍ରମାଣପତ୍ର ମଗାଯାଇଥିଲା, ମୃତ ଦେହ ନୁହେଁ