ଭୁବନେଶ୍ୱର: ବୈଦ୍ୟୁତିକ ଯାନ ଦିଗରେ ଓଡ଼ିଶା ନେଉଛି ବଡ଼ ପଦକ୍ଷେପ। PM E-DRIVE ଯୋଜନା ଅଧିନରେ ରାଜ୍ୟର ୬ଟି ପ୍ରମୁଖ ସହର ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଓ ପୁରୀରେ ୧୯୦ଟି EV ଚାର୍ଜିଂ ଷ୍ଟେସନ୍ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପଦକ୍ଷେପ ରାଜ୍ୟରେ ପରିବେଶମୂଳକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବାରେ ମୁଖ୍ୟ ଭୂମିକା ନେବ।
ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ବୈଠକରେ କେନ୍ଦ୍ର ଭାରୀ ଶିଳ୍ପ ବିଭାଗ, ରାଜ୍ୟ ପରିବହନ ପ୍ରାଧିକରଣ ଓ BHEL ମିଳିତ ଭାବେ ଏହି ପ୍ରସ୍ତାବ ଆଗକୁ ଆଣିଛନ୍ତି। ଚାର୍ଜିଂ ଷ୍ଟେସନ୍ଗୁଡ଼ିକ ପାଇଁ ସ୍ଥାନ ଚୟନ କାମ BHEL ଓ ପରିବହନ ପ୍ରାଧିକରଣ ମିଶିକରି କରିବେ। ବିଶେଷକରି ଜାତୀୟ ରାଜପଥ ଓ ଆଞ୍ଚଳିକ କେନ୍ଦ୍ରଗୁଡ଼ିକୁ ଅଗ୍ରଗଣ୍ୟତା ଦିଆଯିବ।
ପ୍ରକଳ୍ପ ରୂପାୟଣ ପରେ ଏହି ଷ୍ଟେସନ୍ଗୁଡ଼ିକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଜେ ପରିଚାଳନା କରିପାରେ କିମ୍ବା ନୋଡାଲ ଅପରେଟରଙ୍କୁ ଦାୟିତ୍ୱ ଦେଇପାରେ। ଏହି ବ୍ୟାପକ ଯୋଜନା ପାଇଁ ୧୦,୯୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ପରିବେଶ ପ୍ରଦୂଷଣ କମାଇବା ଓ ଇଲେକ୍ଟ୍ରିକ୍ ଭେହିକଲ୍ ବ୍ୟବହାରକୁ ବଢ଼ାଇବା ଲକ୍ଷ୍ୟରେ ଏହି ଭିତ୍ତିଭୂମି ବିକାଶକୁ ଏକ ମହତ୍ତ୍ୱପୂର୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ସହିତ ଓଡ଼ିଶା ଶୀଘ୍ର ଗ୍ରୀନ୍ ମୋବିଲିଟି ଦିଗରେ ଏକ ନୂଆ ମାଇଲଷ୍ଟୋନ୍ ସୃଷ୍ଟି କରିବାକୁ ପ୍ରସ୍ତୁତ।