ବରଗଡ଼ ଫରେଷ୍ଟ ଡିଭିଜନରେ ବିବାଦ। ୧୦୦ରୁ ଅଧିକ ବନ କର୍ମଚାରୀ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳୀନ ସମୁହ ଛୁଟିରେ ଯିବାକୁ ନିଷ୍ପତି ନେଇଛନ୍ତି। ଡିଏଫଓଙ୍କ ବିରୋଧରେ ଅତ୍ୟାଚାର ଓ ଖରାପ ବ୍ୟବହାର ଅଭିଯୋଗ କରି ଆନ୍ଦୋଳନ କରୁଛନ୍ତି। ଏଥିପାଇଁ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଶପଥ ନେଇଛନ୍ତି ଯେ, ଡିଏଫଓଙ୍କ ବଦଳି ନ ହେବ ଯାଏଁ କାମକୁ ଫେରିବେ ନାହିଁ।
କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ, ଡିଏଫଓ ସେମାନଙ୍କୁ ମାନସିକ ଓ ଶାରୀରିକ ଭାବେ ଅତ୍ୟାଚାର କରୁଛନ୍ତି। ସେହିପରି, ଅନାବଶ୍ୟକ ଚାପ ପକାଇ ଅସମ୍ମାନଜନକ ବ୍ୟବହାର କରାଯାଉଥିବା କଥା ମଧ୍ୟ ସେମାନେ କହିଛନ୍ତି।
ଏହି ଘଟଣାକୁ ନେଇ ବନ ବିଭାଗରେ ବିବାଦ ବଢ଼ିଛି। ଏତେ ବଡ଼ ସଂଖ୍ୟାରେ କର୍ମଚାରୀ ଛୁଟିରେ ଯାଇଥିବାରୁ ଦୈନିକ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଅନ୍ୟପଟେ ଡିଏଫଓ ଏହି ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କୌଣସି କର୍ମଚାରୀଙ୍କ ଉପରେ ଚାପ ପକାଇନାହାନ୍ତି ଓ କାହା ସହ ତାଙ୍କର ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ନାହିଁ। ସେ କେବଳ କାର୍ଯ୍ୟରେ ଶୃଙ୍ଖଳା ଓ ଦାୟିତ୍ୱ ପାଳନରେ କଠୋର ରହିଥିବା କଥା କହିଛନ୍ତି।