ନବରଙ୍ଗପୁର: ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଅଭିଯୁକ୍ତ ଜୀବନ ହାରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲ ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ପଞ୍ଚାୟତର ଅଂଶୁଳା ଗ୍ରାମର ପୂର୍ଣ୍ଣ କର୍ଲା । ସେ ଏକ ଦୁଷ୍କର୍ମ ମାମାରେ ଗିରଫ ହୋଇଥିଲେ ।
ପୂର୍ଣ୍ଣ କର୍ଲାଙ୍କର ଏକ ନାବାଳିକା ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ କିଛି ଦିନ ତଳେ ପୂର୍ଣ୍ଣ ଉକ୍ତ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲେ । ଏହା ପରେ ଝିଅ ଘର ଲୋକେ ପୂର୍ଣ୍ଣଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ପୂର୍ଣ୍ଣାଙ୍କ ନାମର ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ରହିଥିଲା । ପୋଲିସ ପୂର୍ଣ୍ଣଙ୍କୁ ଗିରଫ କରିଥିଲା ।
ଆଜି କୋର୍ଟ ଚାଲାଣ କରାଯିବାର ଥିଲା । ଗତକାଲି ପରିବାର ଲୋକେ ଥାନାରେ ପହଁଚି ପୂର୍ଣ୍ଣଙ୍କୁ ବୁଝାସୁଝା କରିଥିଲେ । ଝିଅ ଘର ଲୋକେ ମାମଲା ଉଠାଇବାକୁ ରାଜି ହେଉନଥିବା କହିଥିଲେ । ତେଣୁ ସେ ଝିଅକୁ ଭୁଲି ଯିବାକୁ ପରାମର୍ଶ ଦେଇଥିଲା । ମାତ୍ର ଗତକାଲି ରାତିରେ ପୂର୍ଣ୍ଣ ଥାନାର ଶୌଚାଳୟରେ ନିଜ ବେକରେ ଚାଦର ଭିଡ଼ି ଜୀବନ ହାରିଥିବା ଜଣାପଡ଼ିଛି ।
ତେବେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଲୋକେ ଥାନା ଆସି ପହଁଚିଥିବା ବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ଏହି ଘଟଣାକୁ କୋରାପୁଟ ଡିଆଇଜି କନୱର ବିଶାଲ ସିଂ ଗୁରୁତର ସହିତ ନେଇଛନ୍ତି । ଅଭିଯୁକ୍ତଙ୍କର କିପରି ମୃତ୍ୟୁ ହେଲା ତାହାର ତଦନ୍ତ କରିବାକୁ ନବରଙ୍ଗପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।