ଭୁବନେଶ୍ୱର ; ଆଜି ଆନ୍ତର୍ଜାତୀୟ ନୃତ୍ୟ ଦିବସ। ନୃତ୍ୟ’ ଓ ‘ନାଟକ’ ଭାରତୀୟ ସଂସ୍କୃତିର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ। ଆଧୁନିକ ଯୁଗରେ ସମୟ ଯେତେ ବଦଳିଲେ ବି ମନୋରଞ୍ଜନର ଏହି ଦୁଇ ପ୍ରମୁଖ ମାଧ୍ୟମ ଆଜିବି ଜୀବିତ ରହିବ। ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ପର୍ଯ୍ୟନ୍ତ ନୃତ୍ୟ ବିନା ସବୁକିଛି ଅଧା ଅଧୁରା। ରାଜ୍ୟସ୍ତରୀୟ ହେଉ କି ଜାତୀୟସ୍ତରୀୟ ନୃତ୍ୟକୁ ନେଇ ଅନେକ ଟେଲିଭିଜନର ଡ୍ୟାନ୍ସ ରିୟଲିଟି ଶୋ’ ମଧ୍ୟ ଆୟୋଜିତ ହେଉଛି। ତେଣୁ ନୃତ୍ୟକୁ ଆହୁରି ଲୋକପ୍ରିୟ କରିବା ତାଟହ ଏହାର ବିଶେଷତାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୯ ତାରିଖକୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ରୂପେ ପାଳନ କରାଯାଏ।
ଗତ କିଛିବର୍ଷ ହେଲା ଓଡ଼ିଶାରେ ପାଶ୍ଚାତ୍ୟ ନୃତ୍ୟର ବହୁଳ ପ୍ରସାର ପରିଲକ୍ଷିତ ହେଉଛି। କେବଳ ରାଜଧାନୀ ଭୁବନେଶ୍ୱର କିମ୍ବା ବଡ଼ ବଡ଼ ସହର ନୁହେଁ, ଓଡ଼ିଶାର ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ବି ଆଜିକାଲି ପାଶ୍ଚାତ୍ୟ ନୃତ୍ୟର କ୍ରେଜ୍ ଦେଖିବାକୁ ମିଳୁଛି। ସ୍ବତନ୍ତ୍ର ଭାବେ କ୍ଲବ ଓ ଗ୍ରୁପ୍ ଗଠନ କରାଯାଇ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି, ଯେଉଁଥିପାଇଁ ରାଜ୍ୟରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଭଳି ଦଳ ସୃଷ୍ଟି ହେବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସେମାନେ ସଫଳ ହେଉଛନ୍ତି।
ଇଣ୍ଟରନେଟ୍ ଓ ଟେଲିଭିଜନ ଭଳି ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାରମ୍ପରିକ ଲୋକନୃତ୍ୟ ପରିବର୍ତ୍ତେ ଆଧୁନିକ ନୃତ୍ୟ ବିଶେଷ ଲୋକପ୍ରିୟତା ହାସଲ କଲା। ଜୁମ୍ବା, ହିପ୍ହପ୍, ଲିରିକାଲ ହିପ୍ହପ୍, ରୋବୋଟିକ୍ ଡ୍ୟାନ୍ସ, ମୁନ୍ଓ୍ବାକ୍, ଫ୍ରି ଷ୍ଟେପ୍, ସାମ୍ବା, ସାଲ୍ସା, ବଲିଉଡ୍, ବେଲି ଡ୍ୟାନ୍ସ, ବ୍ରେକ୍ ଡ୍ୟାନ୍ସିଙ୍ଗ, ବୁଗି ଉଗି, କେକ୍ ଓ୍ବାକ୍, ଟ୍ୟାପ୍, ଜାଜ୍, କଟେମ୍ପୋରାରି, ଫୁଟ୍ ଓ୍ବାର୍କ, ପାଓ୍ବାର ମୁଭ୍ସ ଭଳି ଶତାଧିକ ଆଧୁନିକ ନୃତ୍ୟଶୈଳୀ ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି। ଅନେକ ଲୋକ ମଧ୍ୟ ପଇସା ଖର୍ଚ କରି ନିଜ ପିଲାଙ୍କୁ ନାଚରେ ପାରଙ୍ଗମ କରାଉଛନ୍ତି।