ଭୁବନେଶ୍ୱର: ବଦଳିବ ପାଗ। ଅସହ୍ୟ ତାତି, ଓ ଗୁଳୁଗୁଳିରେ ରାଜ୍ୟବାସୀ ଯେଉଁ ଛଟପଟ ହେଉଥିଲେ, ସେଥିରେ ମିଳିବ ମୁକ୍ତି, କାରଣ ଏବେ ରାଜ୍ୟବାସୀଙ୍କ ପାଇଁ ଆସୁଛି ଆଶ୍ୱସ୍ତିର ଖବର। କାଳବୈଶାଖୀ ପ୍ରଭାବରେ ବୁଧବାର (ଏପ୍ରିଲ ୨୯) ଠାରୁ ରାଜ୍ୟରେ ପାଗର ପରିବର୍ତ୍ତନ ଯାଉଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପ୍ରଥମେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ ବର୍ଷା ଆରମ୍ଭ ହେବ। ପରେ ୨୯ ତାରିଖରେ ୨୪ ଜିଲ୍ଲା ଓ ୩୦ ତାରିଖରେ ସାରା ରାଜ୍ୟକୁ ଆଚ୍ଛାଦିତ କରିବ ବର୍ଷା। ମେ’ ୧ ଓ ୨ ତାରିଖରେ ମଧ୍ୟ ଏହି ବର୍ଷାର ତୀବ୍ରତା ଜାରି ରହିବ। ବିଶେଷକରି ୨୯ ତାରିଖରେ ଏକ ଟ୍ରଫ୍ ଲାଇନ୍ ପ୍ରଭାବରେ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି।
ଏହି ସମୟରେ କେବଳ ବର୍ଷା ନୁହେଁ, ବଜ୍ରପାତ, ଘଡଘଡି ସହ ୫୦ରୁ ୬୦ କିମି ବେଗର ପବନ ବହିବାର ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ଏହି ପବନ ବେଗ ୬୬ କିମି ପର୍ଯ୍ୟନ୍ତ ବଢ଼ିପାରେ, ଯାହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏହିକାରଣରୁ ମତ୍ସ୍ୟଜୀବୀମାନଙ୍କୁ ଗୁରୁବାର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ସଚେତନ କରାଯାଇଛି।
ରାଜଧାନୀ ଭୁବନେଶ୍ୱର ସହ ଅନେକ ସ୍ଥାନରେ ଏବେ ଆଦ୍ରତା ବଢ଼ିବାରୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। କିନ୍ତୁ ଏହି ବର୍ଷା ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି, ଯାହା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବ।
ସେହିପରି ଆଜି ନୂଆପଡ଼ାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ନୂଆପଡା ଜିଲ୍ଲାର ଖଡ଼ିଆଳ ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ହୋଇଛି। ଗତ କିଛି ଦିନ ହେଲା ନୂଆପଡ଼ା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସହ ମୁଣ୍ଡଫଟା ଖରାର ପ୍ରକୋପ ଦେଖିବାକୁ ମିଳିଥିଲା। ତାପମାତ୍ରା ୪୩ଡିଗ୍ରୀକୁ ଛୁଇଥିଲ। ହେଲେ ଆଜି କାଳ ବୈଶାଖୀ ପରେ ତାତିରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି।