ନୂଆଦିଲ୍ଲୀ: ରାଘବ ଚଢା ବିଜେପିରେ ଯୋଗଦେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଚର୍ଚ୍ଚା ଚାଲିଛି । ଏହାରି ମଧ୍ୟରେ ପତ୍ନୀ ପରିଣୀତିଙ୍କ ପରେ ଶାଳୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଟାଣି ହୋଇଆସିଛନ୍ତି । ରାଘବ ବିଜେପିରେ ଯୋଗ ଦେବା ପଛରେ ପ୍ରିୟଙ୍କାଙ୍କର ବଡ଼ ହାତ ଥିବା ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ବୟାନ ଦେଇଛନ୍ତି ପୂର୍ବ କ୍ରିକେଟର ଏବଂ ରାଜନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ।
ନବଜୋତ କୌର ସିଦ୍ଧୁ ରାଘବ ଚଢା ଆପ ଛାଡି ବିଜେପିରେ ଯୋଗଦେବା ନିଷ୍ପତ୍ତି ପଛରେ ସଂପୂର୍ଣ୍ଣ କାହାଣୀ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାର ସମୟରେ ନବଜୋତ କୌର ଦାବି କରିଛନ୍ତି ଯେ ରାଘବ ପ୍ରିୟଙ୍କା ଚୋପ୍ରାଙ୍କ ଯୋଗୁଁ ବିଜେପିରେ ଯୋଗ ଦେଇଛନ୍ତି । ପ୍ରିୟଙ୍କା ଜାଣିବାକୁ ପାଇଥିଲେ ଯେ ରାଘବ ଏବଂ ଆପ ମଧ୍ୟରେ ସମ୍ପର୍କ ଠିକ୍ ନାହିଁ । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ପ୍ରିୟଙ୍କା ତାଙ୍କ ଭଉଣୀ ପରିଣୀତିଙ୍କ ପାଇଁ ରାଘବଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଥିଲେ । ପରିଣୀତି ପ୍ରିୟାଙ୍କାଙ୍କୁ ଜଣାଇଥିଲେ ଯେ ରାଘବଙ୍କୁ ଆପ୍ ଦଳରୁ ବହିଷ୍କାର କରାଯିବ । ଏହା ପରେ, ପ୍ରିୟଙ୍କା ତାଙ୍କ ଯୋଗାଯୋଗକୁ ବ୍ୟବହାର କରି ବିଜେପି ନେତାଙ୍କ ସହ କଥା ହୋଇଥିଲେ ଏବଂ ରାଘବଙ୍କ ଦଳରେ ପ୍ରବେଶ ପାଇଁ ସୁପାରିଶ କରିଥିଲେ ।
ତେବେ ନବଜୋତ କୌରଙ୍କ କେତେ ସତ୍ୟାସତ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ରାଘବ, ପରିଣୀତି କିମ୍ବା ପ୍ରିୟଙ୍କା ମଧ୍ୟ ଏ ବାବଦରେ କିଛି ମୁହଁ ଖୋଲି ନାହାଁନ୍ତି । ତେବେ ରାଘବ କାହିଁକି ଆପ୍ ଦଳ ଛାଡ଼ିଲେ ତାହା ସାମ୍ବାଦିକ ସମ୍ମିଳନୀରେ ଜରିଆରେ ବିସ୍ତୃତଭାବେ ଜଣାଇଥିଲେ । ଦଳ ତାର ମୂଳ ନୀତି ଆଧାରରେ ଚାଲିନଥିବା ରାଘବ ଅଭିଯୋଗ ଆଣିଥିଲେ ।