ପଟନା: ବିହାରରେ ସ୍ପଷ୍ଟ ଦିବାଲୋକରେ ଅପରାଧୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । ପୌର ପରିଷଦ କାର୍ଯ୍ୟାଳୟରେ ଗୁଳି ବର୍ଷା । ଫଳରେ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଭୂଷଣ କୁମାରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପୌରାଧ୍ୟକ୍ଷ ରାଜକୁମାର ଗୁଡ୍ଡୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମଙ୍ଗଳବାର ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ପୌର କାର୍ଯ୍ୟାଳୟରେ ଏହି ଗୁଳିକାଣ୍ଡ ହୋଇଛି । ଯାହା ନବନିର୍ମିତ ସମ୍ରାଟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ସାବ୍ୟସ୍ତ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ମଙ୍ଗଳବାର ଅପରାହ୍ନ ସମୟରେ ତିନି ଜଣ ବାଇକ ଆରୋହୀ ଦୁର୍ବୃତ୍ତ ହଠାତ ସୁଲତାନଗଞ୍ଜ ପୌର କାର୍ଯ୍ୟାଳୟ ଭିତରକୁ ପଶିଆସିଥିଲେ । ଏହା ପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହାରି ମଧ୍ୟରେ ସମସ୍ତେ ଆତଙ୍କିତ ହୋଇପଡ଼ିଥିବାବେଳେ ଇଓ କୃଷ୍ଣ ଭୂଷଣ କୁମାର ଏବଂ ପୌର ଅଧ୍ୟକ୍ଷ ରାଜକୁମାର ଗୁଡ୍ଡୁଙ୍କ ଦେହରେ ଗୁଳି ବାଜିଥିଲା । ଉଭୟଙ୍କୁ ପ୍ରଥମେ ସୁଲତାନଗଞ୍ଜ ହସ୍ପିଟାଲରେ ଏବଂ ପରେ ଭାଗଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଅଧା ରାସ୍ତାରେ ଇଓ ଆଖି ବୁଜିଥିଲେ । ପୌରାଧ୍ୟକ୍ଷଙ୍କ ମୁଣ୍ଡରେ ଗୁଳି ବାଜିଛି । ସେ ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅଧ୍ୟକ୍ଷଙ୍କ ଦେହରେ ପ୍ରାୟ ୫ଟି ଗୁଳି ଲାଗିଛି । ପ୍ରାୟ ୮ ରାଉଣ୍ଡରୁ ଅଧିକ ଗୁଳି ଚାଲିଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା । ମାତ୍ର ସେତେବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । ଭାଗଲପୁର ଏସଏସପି, ସିଟି ଏସପି, ପ୍ରଶିକ୍ଷୁ ଏଏସପି ଏବଂ ଅନ୍ୟ ପୋଲିସ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।