ନୂଆଦିଲ୍ଲୀ: ଜେଟ୍ ଫୁଏଲର ଦାମ ବୃଦ୍ଧିରେ ଏୟାର ଲାଇନ କମ୍ପାନିର ଚିନ୍ତା ବଢି ଯାଇଛି । ଭାରତର ସର୍ବୋଚ୍ଚ ଏୟାରଲାଇନ କମ୍ପାନିର ସଂଗଠନ ଫେଡେରେସନ ଅଫ ଇଣ୍ଡିଆ ଏୟାରଲାଇନ୍ସ(ଏଫଆଇଏ) ଜେଟ୍ ଫୁଏଲର ଦରବୃଦ୍ଧିକୁ ନେଇ ଗମ୍ଭୀର ଚେତାବନୀ ଜାରି କରିଛି । ଏଫଆଇଏ ସତର୍କ କରାଇଛି ଯେ,ବର୍ତ୍ତମାନ ଦରବୃଦ୍ଧିର ମାହୋଲ ଏୟାରଲାଇନ କମ୍ପାନି ପାଇଁ ଠିକ୍ ନୁହେଁ ।
ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏପ୍ରିଲ ୨୬ରେ ଲେଖା ଯାଇଥିବା ଚିଠିରେ ଏଫଆଇଏ କହିଛି ଯେ, ବିମାନ ସଂଚାଳନ ଜାରି ରଖିବା ପାଇଁ ଫୁଏଲ ଦରବୃଦ୍ଧିରେ ତତ୍କାଳ ସହାୟତାର ଆବଶ୍ୟକତା ରହିଛି । ଏଫଆଇଏର ପ୍ରତିନିଧିତ୍ୱ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ୍ ପ୍ରତିନିଧିତ୍ୱ କରନ୍ତି ।
ସଙ୍କଟର ଗମ୍ଭୀରତା ବିଷୟରେ ଉଲ୍ଲେଖ କରି ଏଫଆଇଏ କହିଛି ଯେ, ଭାରତରେ ଏୟାରଲାଇନ ଇଣ୍ଡଷ୍ଟ୍ରୀ ବହୁତ ଅଧିକ ଚାପରେ ରହିଛି । ଏପରିକି ସଞ୍ଚାଳନ ବନ୍ଦ କରିବା କିମ୍ବା ନିଜର କାମ ବନ୍ଦ କରିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଏଫଆଇଏ ଅନୁସାରେ ଏଭିଏସନ ଟର୍ବାଇନ ଫୁଏଲ ମୂଲ୍ୟରେ ଅହେତୁକ ଭାବେ ବୃଦ୍ଧି ପାଇଛି । ଏଥିରେ ଏୟାରଲାଇନ କମ୍ପାନିର ଘରୋଇ ଓ ଅନ୍ତର୍ଜାତୀୟ ଉଭୟ ସଞ୍ଚାଳନରେ ବହୁତ ପ୍ରଭାବ ପଡିଛି ।
ଏଫଆଇଏ ବର୍ତ୍ତମାନର ପ୍ରାଇସ ସିଷ୍ଟମର ସମାଲୋଚନା କରି କହିଛି ଯେ, ଏଟିଏଫର ଆଡ ହକ ପ୍ରାଇସ ଏୟାରଲାଇନ ଶିଳ୍ପକୁ ଅସ୍ଥିର କରି ଦେଇଛି । ଏଥିରେ ଅସନ୍ତୁଳନ କାରଣରୁ ରୁଟର ଆର୍ଥିକ ବ୍ୟବସ୍ଥା ବିଗିଡିଛି । ଏୟାରଲାଇନ୍ସକୁ ଏବେ ନିଜର ସଞ୍ଚାଳନ ଉପରେ ପୁଣି ଥରେ ବିଚାର କରିବାକୁ ବିବଶ ହେଉଛି । ଏଫଆଇଏ ମୁତାବକ ବିଦେଶରେ ସଞ୍ଚାଳନ ପାଇଁ ଫୁଏଲ ଦର ଲିଟର ପିଛା ୭୩ରୁ ୭୫ ଟଙ୍କା ବୃଦ୍ଧି ହୋଇଛି । ଏଥିରେ କିଛି ରୁଟ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ତେଣୁ ମନ୍ତ୍ରଣାଳୟ ଏହା ଉପରେ ତତ୍କାଳ ସହାୟତା ପ୍ରଦାନ କରନ୍ତୁ । ନଚେତ ବିମାନ ଚଳାଚଳ ବନ୍ଦ ବି ହୋଇପାରେ ।