ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଭାରତର ବାୟୁସେନାକୁ ନେଇ ଆସିଛି ବଡ ଖବର । ରୁଷ ବହୁପ୍ରତୀକ୍ଷିତ ଚତୁର୍ଥ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତକୁ ପଠାଇଛି । ଏହା ମେ ମଧ୍ୟ ସୁଦ୍ଧା ଭାରତର ବନ୍ଦରରେ ପହଞ୍ଚିବା ବୋଲି ଆଶା କରାଯାଉଛି । ସେହିପରି ଅପରେସନ ସିନ୍ଦୂରରେ ନିଜର ପରାକାଷ୍ଠା ଦେଖାଇଥିବା ପଞ୍ଚମ ଏସ-୪୦୦ ସିଷ୍ଟମ ଚଳିତ ବର୍ଷ ନଭେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି ।
ସୂତ୍ର ଅନୁଯାୟୀ, ଭାରତୀୟ ବାୟୁସେନାର ଅଧିକାରୀ ଏପ୍ରିଲ ୧୮ରେ ଭାରତ ଆସୁଥିବା ଏହି ଚତୁର୍ଥ ସିଷ୍ଟମ ପ୍ରି ଡିସପାଚର ନିରୀକ୍ଷଣ ପୂରା କରିଥିଲେ । ଏହା ପରେ ଗତ ସପ୍ତାହରେ ରୁଷ ଭାରତ ପାଇଁ ଏହି ସିଷ୍ଟମ ପଠାଇ ଦେଇଛି । ପାକିସ୍ତାନ ବିପକ୍ଷରେ ମିସାଇଲ ଡିଫେନ୍ସ ସିଷ୍ଟମ ଗ୍ରୀଡକୁ ଆହୁରି ଅଭେଦ୍ୟ କରିବା ପାଇଁ ଏହି ନୂଆ ସିଷ୍ଟମକୁ ରାଜସ୍ଥାନ ସେକ୍ଟରରେ ମୁତୟନ କରାଯିବାର ସମ୍ଭାବନା ରହିଛି ।
ଅପରେସନ ସିନ୍ଦୂର ସମୟରେ ରୁଷ ଏସ-୪୦୦ ପ୍ରଣାଳୀ ନିଜର ଶକ୍ତି ସାମର୍ଥ୍ୟ ଦେଖାଇଥିଲା । ଏହି ଅପରେସନ ସମୟରେ ଭାରତ ପାକିସ୍ତାନ ବିରୋଧରେ ୧୧ ଲମ୍ବା ଦୂରଗାମୀ ଏସ-୪୦୦ ମିସାଇଲ ମାଡ କରିଥିଲା । ଏହି ମିସାଇଲ ଶତ୍ରୁ ଦେଶର ଲଢୁଆ ବିମାନ, ଏୟାରବର୍ଣ୍ଣ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ଓ ପରିବହନ ବିମାନକୁ ସଠିକ ଲକ୍ଷ୍ୟଭେଦ କରିଥିଲା । ଏସ-୪୦୦ର ସଫଳତା ଦେଖି ଭାରତ ରୁଷଠୁ ଆହୁରି ଅର୍ଡର କରିଥିଲା ।
Also Read: ଅରବିନ୍ଦ କେଜ୍ରିୱାଲଙ୍କ ପରେ ବଡ଼ ନିଷ୍ପତ୍ତି ନେଲେ ମନୀଷ ସିସୋଦିଆ