ଭୁବନେଶ୍ୱରର ଆଜାଦନଗର ବୋମା ବିସ୍ଫୋରଣ ଘଟଣା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରରେ। ଘଟଣାର ତଦନ୍ତ ଆହୁରି ଗଭୀର ହେଉଥିବାବେଳେ, ଏବେ National Investigation Agency (NIA) ଟିମ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି। ଦୁଇଜଣିଆ NIA ଟିମ୍ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଭେଟି ଘଟଣା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି। ବିଶେଷକରି, ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପଚାରାଉଚାରା କରି ଘଟଣାର ନୂଆ ସୂତ୍ର ଖୋଜାଯାଉଛି।
ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା ୨୭ ଜାନୁଆରୀ ୨୦୨୬ରେ ସୁନ୍ଦରପଦା ଆଜାଦନଗରର ଏକ ଭଡ଼ାଘର ଛାତ ଉପରେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ ବୋମା ତିଆରି ସମୟରେ ଏହି ବିସ୍ଫୋରଣ ଘଟିଥିଲା।
ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓ ତାଙ୍କ ମାଆ ଲିଜାତୁନ୍ ବିବି ଗୁରୁତର ଆହତ ହୋଇ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରୁ ଗନପାଉଡର ଓ ବିସ୍ଫୋରକ ସାମଗ୍ରୀ ମିଳିଥିବାରୁ ଘଟଣାଟି ଗୁରୁତର ରୂପ ନେଇଥିଲା।
ଏପ୍ରିଲ ୬ରୁ NIA ଏହି ମାମଲାର ତଦନ୍ତ ଭରା ହାତକୁ ନେଇଛି ଏବଂ ଏବେ ହସ୍ପିଟାଲରୁ ମିଳୁଥିବା ତଥ୍ୟ ତଦନ୍ତକୁ ନୂଆ ଦିଗ ଦେଇପାରେ ବୋଲି ଅନୁମାନ କରାଯାଉଛି।
ତେବେ ପ୍ରଶ୍ନ ହେଉଛି, ଏହି ବିସ୍ଫୋରଣ ପଛରେ କେବଳ ଦୁର୍ଘଟଣା, ନା କିଛି ବଡ଼ ଷଡଯନ୍ତ୍ର ଲୁଚିଛି? ତଦନ୍ତ ଆଗକୁ ବଢ଼ିବା ସହିତ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
ଅଧିକ ପଢନ୍ତୁ: ଆଜାଦନଗର ବିସ୍ଫୋରଣ ଆରଡିଏକ୍ସ ! ଏନ୍ଆଇଏ ହାତରେ ତଦନ୍ତ ଦାୟିତ୍ୱ