ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡରେ ଏବେ ନୂଆ ମୋଡ଼ ଆସିଛି। ଘଟଣାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେଥିପାଇଁ ପୋଲିସ ତଦନ୍ତକୁ ଆଉ ତେଜ କରିଛି। ଏହି ମାମଲାରେ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ ।
ବ୍ରହ୍ମପୁର ମଣ୍ଡଳ କାରାଗାରରୁ କାଳୁ ଚରଣ ପ୍ରଧାନ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ ପୋଲାଇଙ୍କୁ ଗୋପାଳପୁର ପୋଲିସ ରିମାଣ୍ଡରେ ନେଇ ତଦନ୍ତ ଜୋରଦାର କରିଛି। ଏହା ପୂର୍ବରୁ ୭ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲେ ମଧ୍ୟ, ୫ ଜଣଙ୍କୁ ଅନୁମତି ମିଳିଛି।
ହତ୍ୟା ପଛରେ ଥିବା କାରଣକୁ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି। ପ୍ରଥମେ ଗୁଣିଗାରେଡ଼ି ପରେ ସମ୍ପତ୍ତି ବିବାଦ ନେଇ ସନ୍ଦେହ ଥିଲା, କିନ୍ତୁ ଏବେ ତଦନ୍ତରେ ଆସୁଛି ନୂଆ ତଥ୍ୟ। ସୂଚନା ମିଳୁଛି ଯେ, ନାତୁଣୀଙ୍କ ଅନ୍ୟ ଜାତିରେ ବିବାହକୁ ନେଇ ପରିବାରରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଓ ସେହି ଦ୍ୱନ୍ଦ୍ୱ ହତ୍ୟାର କାରଣ ହୋଇପାରେ।
ତଥାପି ଅନେକ ପ୍ରଶ୍ନ ଏବେ ମଧ୍ୟ ଉଙ୍କି ମାରୁଛି। ପରିବାର ଲୋକ ଟଙ୍କା ଦେବାକୁ ରାଜି ଥିବା ସତ୍ତ୍ୱେ କାହିଁକି କରାଗଲା ହତ୍ୟା? ଏହା ପଛରେ କିଏ ସେ ‘ସାଇଲେଣ୍ଟ୍ ମାଷ୍ଟରମାଇଣ୍ଡ୍’? ମୁଖ୍ୟ ଅଭିଯୁକ୍ତ ନିବେଦିତା ଓ ତୁଷାର ସହ ପରିବାରର ଅନ୍ୟ ସଦସ୍ୟଙ୍କ ଭୂମିକା କେତେ ଦୂର ଥିଲା?
ପୋଲିସ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛି ଓ ରିମାଣ୍ଡ ସମୟରେ ଅଭିଯୁକ୍ତମାନଙ୍କୁ ଠାରୁ ସତ ଓଗାଳିବା ପୋଲିସ । ଆଗାମୀ ଦିନରେ ଏହି ହତ୍ୟାକାଣ୍ଡର ପଛର ଗୁପ୍ତ ସତ୍ୟ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି।