ଭୁବନେଶ୍ୱର: ଏକ ସାଇବର ଠକେଇ ଅଭିଯୋଗ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସାଇବର୍ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲେ ବିନୟ କୁମାର ଶର୍ମା (୫୬) । ସେ ଦିଲ୍ଲୀ ଜନକପୁରୂ, ପକେଟ୍-୧୪ର ବାସିନ୍ଦା ଅଟନ୍ତି ।
କ୍ରାଇମ ବ୍ରାଞ୍ଚର ସୂଚନା ମୁତାବକ, ୨୩ ଡିସେମ୍ବର ୨୦୨୪ରେ ଅଭିଯୋକାରୀଙ୍କୁ ଏକ ଅଜଣା ନମ୍ବରରୁ ୱାଟସଆପରେ ମେସେଜ୍ ଆସିଥିଲା । ଏହା ପରେ ଏକ ୱାଟ୍ସଆପ୍ ଗ୍ରୁପରେ ତାଙ୍କ ନମ୍ବର ଆପେ ଆପେ ଯୋଡ଼ି ହୋଇଯାଇଥିଲା । ସେମାନେ ନିଜକୁ ଅର୍ଥ କାରବାର ଦକ୍ଷ ବ୍ୟକ୍ତି ବୋଲି କହିଲେ । ସବୁଦିନ ନିଫ୍ଟିର ଷ୍ଟକ୍ ମାର୍କେଟ୍ ସୂଚନା ଦେଉଥିଲେ । ଏହା ପରେ ଅଭିଯୋଗକାରୀଙ୍କୁ ଅର୍ଥ ନିବେଶ କରିବାକୁ କହିଥିଲେ ।
ଅଭିଯୋଗକାରୀ କିଛି ଖୋଳତାଡ଼ ନ କରି ଆଖି ବୁଜି ୨ କୋଟି ୬ ଲକ୍ଷ ୭ ହଜାର ୫୦୦ ଟଙ୍କା (୨,୦୬,୦୭,୫୦୦ଟଙ୍କା) ଦେଇଥିଲେ । ୨୩ ଡିସେମ୍ବର ୨୦୨୪ ଡିସେମ୍ବରରୁ ୨୪ ମାର୍ଚ୍ଚ ୨୦୨୫ ପର୍ୟ୍ୟନ୍ତ ପ୍ରାୟ ତିନୋଟି ବ୍ୟାଙ୍କ ଆକାଉଣ୍ଟରୁ ୫ ଜଣଙ୍କ ଆକାଉଣ୍ଟକୁ ୫୪ଟି ଦଫାରେ ସମସ୍ତ ଟଙ୍କା ପଠାଇଥିଲେ । କିନ୍ତୁ ଯେତେବେଳେ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ଆଉ ଟଙ୍କା ପାଇନଥିଲେ । ଏହା ପରେ ସିଏ ସାଇବର ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ।
ସାଇବର ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ପୋଲିସ ସମସ୍ତ ବ୍ୟାଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତ ଦିଲ୍ଲୀର ଦ୍ୱାରକାରୁ ଠାବ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ବିନୟ ଶର୍ମାକୁ ଗିରଫ କରାଯାଇଛି । ତା ନିକଟରୁ ଫୋନ୍, ଏକାଧିକ ସିମ୍ କାର୍ଡ, ଆଧାର କାର୍ଡ ଏବଂ ପ୍ୟାନ୍ କାର୍ଡ ଜବତ କରାଯାଇଥିଲା । ପ୍ରଥମେ ଦ୍ୱାରା କୋର୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପରେ ଅଧିକ ତଦନ୍ତ ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି ।