ମଲାକ୍କା ଷ୍ଟ୍ରେଟ୍ ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ମଧ୍ୟରେ ଅବସ୍ଥିତ। ଏହା ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରକୁ ଯୋଡ଼ିଥାଏ, ସେଥିପାଇଁ ଏହାକୁ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ରାସ୍ତା ବୋଲି ମନାଯାଏ।
ମଲାକ୍କା ଷ୍ଟ୍ରେଟ୍ର ତୁଳନା ହୋର୍ମୁଜ୍ ଷ୍ଟ୍ରେଟ୍, ସୁଏଜ୍ କେନାଲ ଏବଂ ପାନାମା କେନାଲ ଭଳି ବଡ଼ ମାର୍ଗଗୁଡ଼ିକ ସହିତ କରାଯାଏ। ଇଣ୍ଡୋନେସିଆର କହିବା କଥା ଯେ, ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦେଇ ହଜାର ହଜାର ଜାହାଜ ଗତି କରନ୍ତି, କିନ୍ତୁ ସେମାନଙ୍କ ଠାରୁ କୌଣସି ଶୁଳ୍କ ନିଆଯାଏ ନାହିଁ। ସେଥିପାଇଁ ଏବେ ଏହା ଉପରେ ଟ୍ୟାକ୍ସ (Tax) ଲଗାଇବାର ସମ୍ଭାବନା ଦେଖାଯାଉଛି। ତେବେ, ଏହି ନିଷ୍ପତ୍ତି ଇଣ୍ଡୋନେସିଆ ଏକାକୀ ନେଇପାରିବ ନାହିଁ, କାରଣ ଏହି ସାମୁଦ୍ରିକ ରାସ୍ତା ଉପରେ ଅନ୍ୟ ଦେଶଗୁଡ଼ିକର ମଧ୍ୟ ଅଧିକାର ଅଛି।
ସିଙ୍ଗାପୁର କଲା ପ୍ରସ୍ତାବର ବିରୋଧ
ଏହି ପ୍ରସ୍ତାବକୁ ସିଙ୍ଗାପୁର ସ୍ପଷ୍ଟ ଭାବେ ବିରୋଧ କରିଛି। ସେଠାକାର ବିଦେଶ ମନ୍ତ୍ରୀ ୱିଭିୟନ୍ ବାଲାକ୍ରିଷ୍ଣନ କହିଛନ୍ତି ଯେ, ଏହି ରାସ୍ତା ଦେଇ ଯିବା ସମସ୍ତ ଦେଶର ଅଧିକାର ଏବଂ ଏହା ସବୁବେଳେ ଖୋଲା ଓ ମୁକ୍ତ ରହିବା ଉଚିତ୍। ସେ କହିଛନ୍ତି ଯେ ସିଙ୍ଗାପୁର କୌଣସି ପ୍ରକାରର ଟୋଲ୍ ଲଗାଇବା କିମ୍ବା ରାସ୍ତା ଅବରୋଧ କରିବାକୁ ସମର୍ଥନ କରିବ ନାହିଁ।
ସମ୍ପ୍ରତି ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହା ଶୀଘ୍ର ଲାଗୁ ହେବାର ସମ୍ଭାବନା କମ୍, କାରଣ ଏଥିରେ ଅନେକ ଦେଶର ସହମତି ଜରୁରୀ ହେବ ଏବଂ ବିଶ୍ୱସାରାର ସିପିଂ ଗୁଡ଼ିକ ମଧ୍ୟ ଏହାକୁ ବିରୋଧ କରିପାରନ୍ତି।
ଟୋଲ୍ ଲାଗିଲେ ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ?
ଭାରତ ପାଇଁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରାୟ ୫୫% ରୁ ୬୦% ସାମୁଦ୍ରିକ ବାଣିଜ୍ୟ ଏହି ରାସ୍ତା ଦେଇ ଗତି କରେ। ଏଥିରେ LNG (ଗ୍ୟାସ୍), କୋଇଲା, ଇଲେକ୍ଟ୍ରୋନିକ୍ସ ଏବଂ ଔଷଧର କଞ୍ଚାମାଲ (API) ଭଳି ଜରୁରୀ ସାମଗ୍ରୀ ସାମିଲ ଅଛି। ଏହି ମାର୍ଗ ଭାରତକୁ ASEAN (ଆସିଆନ୍) ଏବଂ ପୂର୍ବ ଏସିଆ ଦେଶଗୁଡ଼ିକ ସହିତ ଯୋଡ଼ିଥାଏ।
ସାଥିରେ ଅଣ୍ଡମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏହି ରାସ୍ତା ପାଖରେ ଅବସ୍ଥିତ, ଯାହାଦ୍ୱାରା ଭାରତକୁ ରଣନୈତିକ ଅଗ୍ରଗତି ମିଳିଥାଏ। ଯଦି ଏଠାରେ ଟ୍ୟାକ୍ସ ଲାଗୁ ହୁଏ, ତେବେ ଭାରତର ଆମଦାନୀ-ରପ୍ତାନି ଖର୍ଚ୍ଚ ବଢ଼ିପାରେ, ଯାହାଦ୍ୱାରା ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିପାରେ। ବିଶ୍ୱର ମୋଟ ସାମୁଦ୍ରିକ ବାଣିଜ୍ୟର ପ୍ରାୟ ୨୫ ରୁ ୪୦% ଅଂଶ ଏହିଠାରୁ ହିଁ ହୋଇଥାଏ।