ଢେଙ୍କାନାଳ: କାର୍ଯ୍ୟରତ ଜନଗଣନା ଅଧିକାରୀଙ୍କୁ ଗୋଟିଏ ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିଛନ୍ତି । ବାପା ଓ ପୁଅ ମିଶି ୪ ଜଣ ଅଧିକାରୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭାଙ୍ଗି ଦେଇଛନ୍ତି । ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପରିବାର ସଦସ୍ୟ ଜନଗଣନାରେ ସହଯୋଗ କରୁନଥିଲେ । ଏ ନେଇ ଜଣେ ମହିଳା ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଜନଗଣନା ଅଧିକାରୀ ରଘୁନାଥ ଦୀକ୍ଷିତ, ମଧୁସ୍ମିତା ବେହେରା, ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା ନିକୁଞ୍ଜଙ୍କ ଘରକୁ ଯାଇଥିଲେ । କିନ୍ତୁ ନିକୁଞ୍ଜ ଏବଂ ତାଙ୍କର ଦୁଇ ପୁଅ ମିଶି ଅତର୍କିତ ଭାବେ କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଟେକା ପଥର ଫୋପାଡ଼ିବା ସହିତ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ । ଏପରିକି ଅଧିକାରୀମାନଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।
ଏ ନେଇ ଜନଗଣନା ଅଧିକାରୀମାନେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ ଏବଂ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି ।