ଭୁବନେଶ୍ୱର: ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କ ପାଇଁ ଏବେ କଠୋର ସନ୍ଦେଶ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ, ଅପରାଧୀଙ୍କୁ ଛଡ଼ାଯିବନାହିଁ। ପାତାଳରେ ଲୁଚିଲେ ବି ସେମାନଙ୍କୁ ଖୋଜି ବାହାର କରାଯିବ ଓ ଆଇନ ଅନୁଯାୟୀ କଠୋର କାର୍ଯ୍ୟବାହୀ ହେବ।
୨୦୨୬ର ହାଇଟେକ୍ ଜନଗଣନା ପ୍ରକ୍ରିୟା ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ଏପରି ଆକ୍ରମଣ ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବା ସମୟରେ କର୍ମୀମାନେ ହିଟ୍ୱେଭ୍, ଅସୁସ୍ଥତା ଓ କେତେକ ସ୍ଥାନରେ ଆକ୍ରମଣ ଭଳି ସମସ୍ୟା ସମ୍ମୁଖୀନ ହେଉଛନ୍ତି। ସରକାର ଏହାକୁ ଗୁରୁତ୍ୱର ସହ ନେଇ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦେଇଛନ୍ତି ।
ଅଧିକ ପଢନ୍ତୁ: ୪ ଜଣ ଜନଗଣନା ଅଧିକାରୀଙ୍କୁ ମାଡ଼, ଭାଙ୍ଗି ଦେଲେ ଗାଡ଼ି
ମନ୍ତ୍ରୀ କହିଛନ୍ତି, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଶୀଘ୍ର SOP ଆଣାଯିବ। ଗୃହ ବିଭାଗ, ପୁଲିସ ପ୍ରଶାସନ ଓ ଉଚ୍ଚ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଛି। ଯେଉଁଠି ଆକ୍ରମଣ ଘଟିଛି ସେଠାରେ କଠୋର ପଦକ୍ଷେପ ନିଆଯିବ।
ସେପଟେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି, ରାଜ୍ୟରେ ପ୍ରାୟ ୧ କୋଟି ଘରର ଜନଗଣନା ସରିସାରିଛି। କିନ୍ତୁ ତୃଣମୂଳସ୍ତରରେ କାମ କରୁଥିବା କର୍ମୀମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ଆବଶ୍ୟକସ୍ତରରେ ପୁଲିସ ସହାୟତା ମଧ୍ୟ ନିଆଯିବ।
ଅଧିକ ପଢନ୍ତୁ: ମିଳିଲେ ଜନଗଣନାରୁ ନିଖୋଜ ଥିବା ଶିକ୍ଷୟିତ୍ରୀ; ଟ୍ରେନରେ ଚଢ଼ିଲେ, ୩ ଦିନ ଷ୍ଟେସନରେ ବସିରହିଲେ, ହେଲେ କାହିଁକି?