ପୁଣି ନୂଆ ଇତିହାସ ଲେଖିବାକୁ ପ୍ରସ୍ତୁତ କୋଣାର୍କ।ଖୁବ୍ଶୀଘ୍ର ସୂଯ୍ୟମନ୍ଦିରରରୁ କଢ଼ାଯିବ ଭିତରେ ଭରିଥିବା ବାଲି। ବର୍ଷୋଧିକ ଧରି ମନ୍ଦିରର ଗର୍ଭଗୃହକୁ ସୁରକ୍ଷା ଦେବା ପାଇଁ ବାଲି ଭରାଯାଇଥିଲା। କିନ୍ତୁ ଏବେ ସମୟ ଆସିଛି ସେହି ବାଲିକୁ ବାହାର କରିବାର ଏବଂ ତାହା ମଧ୍ୟ ସର୍ବାଧୁନିକ ପ୍ରଯୁକ୍ତି ସହିତ।
ପୂର୍ବରୁ ଡ୍ରିଲିଂ କରି ବାଲିର ନମୁନା ପରୀକ୍ଷା ପାଇଁ IIT ମାଡ୍ରାସକୁ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ବାଲି କାଢ଼ିଲେ ମନ୍ଦିରର କୌଣସି କ୍ଷତି ହେବ ନାହିଁ। ହେରିଟେଜ୍ ସାଇଟର ଭିତରେ ଥିବା ବାଲି ସମ୍ପୂର୍ଣ୍ଣ ସରୁକ୍ଷିତ। ତେଣୁ ଖୁବଶୀଘ୍ର ବାଲି କଢ଼ା ପ୍ରକ୍ରିୟା ଆରମ୍ଭ ହେବ। ଏହା ପରେ Archaeological Survey of India ବା ଏଏସଆଇ ପକ୍ଷରୁ ଚୂଡାନ୍ତ ମ୍ୟାପିଂ କରାଯାଉଛି। ଅକ୍ଷୟ ତୃତୀୟା ଦିନରୁ ଏହି ବଡ଼ ଅଭିଯାନ ଆରମ୍ଭ ହୋଇଛି।
ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ଏହି କାମରେ ମଣିଷ ନୁହେଁ, ରୋବୋଟ୍ କରିବ କାମ। ସେକ୍ସନ ଡ୍ରଇଂ ଅନୁଯାୟୀ, ମନ୍ଦିରର ୮୦ ଫୁଟ୍ ଉଚ୍ଚରେ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୧୬ ସେଣ୍ଟିମିଟର ଟନେଲ ଖୋଳାଯିବ। ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଟନେଲ୍ ତିଆରି ହେବ, ଯାହା ମାଧ୍ୟମରେ ସ୍ୱୟଂଚାଳିତ ରୋବୋଟିକ୍ ଟ୍ରଲି ଭିତରକୁ ପ୍ରବେଶ କରି ବାଲିକୁ ଆଣିବ। ସୁରକ୍ଷା ଦୃଷ୍ଟିରୁ ଏହି ଟନେଲ୍ ମଧ୍ୟରେ କୌଣସି ମଣିଷ ପ୍ରବେଶ କରିବେ ନାହିଁ।
ପର୍ଯ୍ୟାୟକ୍ରମେ ବାଲିକୁ ବାହାର କରି ପାଇପ୍ ମାଧ୍ୟମରେ ମନ୍ଦିର ପାଖରେ ସୁରକ୍ଷିତ ଭାବେ ସଂରକ୍ଷଣ କରାଯିବ। ସମଗ୍ର ପ୍ରକ୍ରିୟା ବରିଷ୍ଠ ବିଶେଷଜ୍ଞଙ୍କ ନିରୀକ୍ଷଣରେ ହେବ। ଇତିହାସ, ପ୍ରଯୁକ୍ତି ଓ ସୁରକ୍ଷାର ଏହି ଅଦ୍ଭୁତ ମିଶ୍ରଣ କୋଣାର୍କକୁ ଆଉଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି।୧୩ଶ ଶତାବ୍ଦୀର ଏହି ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ୧୯୦୩ ମସିହାରେ ବ୍ରିଟିଶମାନେ ଜଗମୋହନରେ ବାଲି ଭରିଥିଲେ, ଯାହା ପୂରଣ କରିବାକୁ ପ୍ରାୟ ୩ ବର୍ଷ ସମୟ ଲାଗିଥିଲା। ଏବେ ୧୨୩ ବର୍ଷ ପରେ ପ୍ରଥମ ଥର ପାଇଁ ସେହି ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି, ଯାହାକୁ ମନ୍ଦିର ସୁରକ୍ଷାରେ ଏକ ଐତିହାସିକ ପଦକ୍ଷେପ ବୋଲି ଦେଖାଯାଉଛି।