ବାରିପଦା: ଜନଗଣନା କାର୍ଯ୍ୟ ମଧ୍ୟରେ ହଠାତ୍ ନିଖୋଜ, ଆଉ ତିନି ଦିନ ପରେ ବାଲେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହେଲେ ଶିକ୍ଷୟିତ୍ରୀ। ମୟୂରଭଞ୍ଜ ଜିଲାରେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣା ମୁତାବିକ, ବାରିପଦା ବ୍ଲକ ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଗତ ଶନିବାର (୧୮ ତାରିଖ)ରୁ ହଠାତ୍ କେଉଁଆଡେ ଅନ୍ତର୍ଧାନ ହୋଇଥିଲେ। ସେ ଜନଗଣନା କାର୍ଯ୍ୟ ପାଇଁ ଯାଇ ସେ ଆଉ ଘରକୁ ଫେରିନଥିବାରୁ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଛାଇଥିଲା।
ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ୮ ବର୍ଷ ହେବ ବାରିପଦାରେ କାର୍ଯ୍ୟ କରୁଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ସେ ନୂତନ ଭାବେ ନିଯୁକ୍ତି ପାଇଥିଲେ। ହେଲେ ଶନିବାର ଜନଗଣନା କାର୍ଯ୍ୟରେ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲା।
ଅଧିକ ପଢନ୍ତୁ: ଜନଗଣନା ପାଇଁ ଯାଇ ଶିକ୍ଷୟିତ୍ରୀ ନିଖୋଜ; ୩ ଦିନ ହେଲା ମିଳୁନି ପତ୍ତା, ଥାନାରେ ଦ୍ୱାରସ୍ଥ ହେଲେ ପରିବାର
ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲା। ହେଲେ ଘଟଣାରେ ଟ୍ୱିଷ୍ଟ ଆସିଲା ସିସିଟିଭି ଫୁଟେଜରୁ। ଶିକ୍ଷୟିତ୍ରୀ ଜଣକ ବାରିପଦା ରେଳ ଷ୍ଟେସନରୁ ଏକାକୀ ଟ୍ରେନରେ ବସି ବାଲେଶ୍ୱର ଯାଇଥିବା ଦେଖାଗଲା। ପରେ ସେଠାରେ ତିନି ଦିନ ଧରି ରହୁଥିବା ସୂଚନା ମିଳିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଛି।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଘଟଣାରେ ଅପହରଣ କିମ୍ବା ଅପରାଧର କୌଣସି ସନ୍ଦେହ ମିଳିନାହିଁ। ତେବେ କାହିଁକି ଶିକ୍ଷୟିତ୍ରୀ ହଠାତ୍ କାମ ଛାଡ଼ି ଏଭଳି ଚାଲିଗଲେ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।
ବର୍ତ୍ତମାନ ଶିକ୍ଷୟିତ୍ରୀ ପୁଲିସ ହେପାଜତରେ ଥିବା ବେଳେ ତାଙ୍କୁ ପଚରାଉଚରା ଚାଲିଛି। ପୁଲିସର ଜେରା ପରେ ସଠିକ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଏହି ଘଟଣା ପରେ ଶିକ୍ଷକ ସଂଗଠନମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ଓ ଘଟଣାର ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି। ଏବେ ପ୍ରଶ୍ନ ଏହା କେବଳ ବ୍ୟକ୍ତିଗତ କାରଣ ନା କିଛି ଏହା ପଛରେ ଅନ୍ୟ କିଛି କାରଣ ଲୁଚିଛି? ଉତ୍ତର ପାଇଁ ସମସ୍ତଙ୍କ ନଜର ଏବେ ପୁଲିସ ତଦନ୍ତ ଉପରେ।