ବାରିପଦା: ଜନଗଣନା ପାଇଁ ଯାଇ ଶିକ୍ଷୟିତ୍ରୀ ନିଖୋଜ। ତିନି ଦିନ ହେଲାଣି ମିଳୁନି ପତ୍ତା। ବାରିପଦା ବାଉତିଶୋଳ ଅଞ୍ଚଳରୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଶନିବାରଠୁ ନିଖୋଜ ଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ୮ ବର୍ଷ ହେବ ବାରିପଦାରେ କାର୍ଯ୍ୟ କରୁଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ସେ ନୂତନ ଭାବେ ନିଯୁକ୍ତି ପାଇଥିଲେ। ଶିକ୍ଷୟତ୍ରୀ ଜଣଙ୍କ ଭଡା ରହୁଥିବା ଘର ମାଲିକ ଏବଂ ଶିକ୍ଷୟତ୍ରୀଙ୍କ ଭାଇ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଜାରି ରଖିଛି ବାରିପଦା ସଦର ଥାନା ପୁଲିସ୍ ।
ନିଖୋଜ ଶିକ୍ଷୟିତ୍ରୀ ଜଣଙ୍କ ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ମୁତାବିକ, ଶନିବାର ସକାଳ ପ୍ରାୟ ୭ଟା ସମୟରେ ସେ ସ୍କୁଲକୁ ଯାଇ ସେଠାରୁ ଜନଗଣନା କାର୍ଯ୍ୟରେ ଯାଇଥିଲେ। ହେଲେ ଘରକୁ ନ ଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ଙ୍କ ଘରେ ମଧ୍ୟ ଖୋଜାଖୋଜି କରୁଛି। ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ।