ବାଲେଶ୍ୱର: ରିଲ୍ସର ନିଶା କେବଳ ମନୋରଞ୍ଜନରେ ସୀମିତ ରହିନାହିଁ, ବରଂ ଏବେ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି। ବାରମ୍ବାର ସଚେତନତା ସତ୍ତ୍ୱେ ମଧ୍ୟ ଯୁବପିଢ଼ି ଏହି ଆକର୍ଷଣରୁ ଦୂରେଇପାରୁନାହାନ୍ତି। ଏମିତି ଏକ ଅବହେଳାର ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆ ରେଳ ଷ୍ଟେସନ ନିକଟରେ, ଯେଉଁଠାରେ ଚଳନ୍ତା ଟ୍ରେନର ଦ୍ୱାର ପାଖରେ ରିଲ୍ସ କରୁଥିବା ବେଳେ ୨୯ ବର୍ଷୀୟ ଯୁବକ ମୁଫିଦାର ଇସଲାମ ଗୁରୁତର ଆହତ ହୋଇଛନ୍ତି।
ସୂଚନାଅନୁସାରେ, ଆନ୍ଧ୍ରପ୍ରଦେଶର ବାସିନ୍ଦା ମୁଫିଦାର ଆସାମରେ କାମ କରୁଥିଲେ ଏବଂ ଚେରାପଲି ଟ୍ରେନ ଯୋଗେ ଘରକୁ ଫେରୁଥିଲେ। ରବିବାର ମଧ୍ୟାହ୍ନ ସମୟରେ ମାର୍କୋଣା ଷ୍ଟେସନ ନିକଟରେ ସେ ଟ୍ରେନ ଦ୍ୱାର ପାଖରେ ରିଲ୍ସ ଶୁଟ୍ କରୁଥିବା ବେଳେ ଅଚାନକ ସନ୍ତୁଳନ ହରାଇ ତଳକୁ ଖସି ପଡ଼ିଥିଲେ। ଘଟଣା ପରେ ଟ୍ରେନର ଅନ୍ୟ ଯାତ୍ରୀମାନେ ତୁରନ୍ତ ଚେନ ଟାଣି ଟ୍ରେନକୁ ଅଟକାଇବା ସହ ପୋଲିସକୁ ସୂଚନା ଦେଇଥିଲେ।
ଷ୍ଟେସନ କର୍ମଚାରୀଙ୍କ ସହଯୋଗରେ ଆହତ ମୁଫିଦାରଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣା ପୁଣିଥରେ ମନେପକାଇଛି ଯେ କିଛି ସେକେଣ୍ଡର ଭିଡିଓ ପାଇଁ ଜୀବନକୁ ବିପଦରେ ପକାଇବା କେତେ ଭୟଙ୍କର ହୋଇପାରେ। ସୋସିଆଲ୍ ମିଡିଆର ଲାଇକ୍ ଓ ଭ୍ୟୁସ୍ ପାଇଁ ଏମିତି ବିପଦଜ୍ଜନକ ଭାବେ ଖେଳିବାର କି ଆବଶ୍ୟକ?