ମହାନଦୀ ଜଳ ବିବାଦକୁ ନେଇ ଆସନ୍ତାକାଲି ହେବାକୁଥିବା ଟ୍ରିବ୍ୟୁନାଲ୍ ଶୁଣାଣି ଉପରେ ସମଗ୍ର ଓଡ଼ିଶାର ନଜର ରହିଛି। ବର୍ଷରୁ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଏହି ଜଳ ବିବାଦ ଏବେ ଶେଷ ପର୍ଯ୍ୟାୟକୁ ପହଞ୍ଚିଥିବାବେଳେ, ଆସନ୍ତାକାଲିର ଶୁଣାଣିକୁ ନେଇ ଉତ୍ସୁକତା ବଢ଼ିଛି।
କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ର କାର୍ଯ୍ୟକାଳକୁ ଆଉ ୯ ମାସ ବଢ଼ାଇ ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ କରିଥିବାରୁ, ଏହି ସମୟସୀମା ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ଆଶା ବଢ଼ିଛି। ଏହି ପ୍ରସଙ୍ଗରେ ଆସନ୍ତାକାଲିର ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି, କାରଣ ଏଥିରେ ଆଗାମୀ ରୋଡମ୍ୟାପ୍ ଓ ଟ୍ରିବ୍ୟୁନାଲ୍ ଟିମ୍ର ରିପୋର୍ଟ ଉପରେ ଆଲୋଚନା ହେବ।
ଓଡ଼ିଶା ପକ୍ଷରୁ ଦୀର୍ଘଦିନ ଧରି ଅଭିଯୋଗ ଆସୁଛି ଯେ, ଛତିଶଗଡ଼ ଉପର ମୁଣ୍ଡରେ ବହୁ ବ୍ୟାରେଜ୍ ନିର୍ମାଣ କରିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବାହ କମିଯାଇଛି। ଏହାର ପ୍ରଭାବରେ ଚାଷୀମାନେ ଚାଷଜମିରେ ପାଣି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ଓ ପାନୀୟ ଜଳ ସଂକଟ ମଧ୍ୟ ଦେଖାଦେଉଛି। ଅନ୍ୟପଟେ, ଛତିଶଗଡ଼ ନିଜ ରାଜ୍ୟର ବିକାଶ ପାଇଁ ଏହି ପ୍ରକଳ୍ପଗୁଡ଼ିକ ଆବଶ୍ୟକ ବୋଲି ଯୁକ୍ତି ଦେଉଛି।
ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, କେନ୍ଦ୍ରର ମଧ୍ୟସ୍ଥତାରେ ଶୀଘ୍ର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି। ଏହା ବିବାଦର ସମାଧାନ ପାଇଁ ନୂତନ ଦିଗ ଖୋଲିପାରେ।
୨୦୧୮ରେ ଗଠିତ ଏହି ଟ୍ରିବ୍ୟୁନାଲ୍ରେ ଏପର୍ଯ୍ୟନ୍ତ ପ୍ରାୟ ୪୯ଟି ଶୁଣାଣି ହୋଇସାରିଛି। ମଧ୍ୟରେ କିଛି ପ୍ରଶାସନିକ ବିଳମ୍ବ ହେଲେମଧ୍ୟ, ବର୍ତ୍ତମାନ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଏହି ପରିପ୍ରେକ୍ଷିତରେ ଆସନ୍ତାକାଲିର ଶୁଣାଣିକୁ ନିର୍ଣ୍ଣାୟକ ଧରାଯାଉଛି, ଯାହା ମହାନଦୀ ଜଳ ବିବାଦର ଶେଷ ଅଧ୍ୟାୟକୁ ଆରମ୍ଭ କରିପାରେ।
ଅଧିକ ପଢନ୍ତୁ: ମହାନଦୀ ଶୁଣାଣିରେ ଏଜିଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡ଼ି, ପୀତାମ୍ବର କହିଲେ ନିଦରୁ ଉଠି ପ୍ରଳାପ କରୁଛନ୍ତି ନବୀନ