ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମୁହାଁମୁହିଁ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ରିବ୍ୟୁନାଲରେ ଶୁଣାଣି ବେଳେ ଏଜିଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବୀନ । ସେପଟେ ଜବାବ ରଖି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ନବୀନ ନୀଦରୁ ଉଠି ପ୍ରଳାପ କରୁଛନ୍ତି ।
ଆଜି ଟ୍ରିବ୍ୟୁନାଲରେ ମହାନଦୀ ବିବାଦର ୫୦ ତମ ଶୁଣାଣି ଥିଲା । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଅନୁପସ୍ଥିତ ରହିଥିଲେ । ଏହାକୁ ନେଇ ନବୀନ ରାଜ୍ୟ ସରକାର ଏବଂ ଏଜିଙ୍କୁ ଟାର୍ଗେଟ୍ କରି ଅନେକ ସାମାଜିକ ଗଣମାଧ୍ୟମ ଏକ୍ସରେ ଅନେକ ପ୍ରଶ୍ନ କରିଛନ୍ତି । ନବୀନ କହିଥିଲେ ଯେ ଏଥିରେ ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ । ମହାନଦୀର ସୁରକ୍ଷାଠାରୁ ଆଉ କ'ଣ ଗୁରୁତ୍ୱପୂର୍ଣ୍ଣ କାମ ଥିବା ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ ବୋଲି ନବୀନ ଏକ୍ସରେ ପ୍ରଶ୍ନ କରିଛନ୍ତି ।
ନବୀନ ଆହୁରି କହିଛନ୍ତି ଯେ ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ'ଣ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ । ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି । ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ମହାନଦୀ ଆମ ମା', ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ। ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ।
ନବୀନଙ୍କ ପ୍ରଶ୍ନର କଡ଼ା ଜବାବ ରଖିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଯେ ମହାନଦୀ ମାମଲାରେ ନବୀନ ପଟ୍ଟନାୟକ ମୁଁହ ଖୋଲିବା ପୂର୍ବରୁ ଆତ୍ମ ସମୀକ୍ଷା କରିବାର ଉଚିତ ଥିଲା । ସାତ ବର୍ଷ ଧରି ନବୀନ ବାବୁଙ୍କ ନ୍ୟାୟିକ ଟିମ ରାଜ୍ୟ ରାଜ କୋଷରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରି ପଇସା ଟିକର ସୁଫଳ ପାଇ ନ ଥିଲେ । ବିଜେପି ସରକାରକୁ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତା ଧାରା ଏବଂ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁ ଉଭୟ ରାଜ୍ୟ ବର୍ତ୍ତମାନ ଆପୋଷ ସମାଧାନର ଦ୍ୱାର ଦେଶରେ ।
ସେହିପରି ପୀତାମ୍ବର ଆଜିର ଅନୁପସ୍ଥିତିକୁ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଏଜି ଦାୟିତ୍ୱ ପରେ ସମସ୍ତ ଶୁଣାଣୀରେ ମୋ ଉପସ୍ଥିତ ଓ ଭୂମିକା ବାବଦରେ ରାଜ୍ୟବାସୀଙ୍କୁ ଜଣା । ତେବେ ଆଜିର ଶୁଣାଣୀ କେବଳ ଟ୍ରିବୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିବାରୁ ମୋ ଉପସ୍ଥିତର ଆଦୌ ଆବଶ୍ୟକ ନଥିଲା । ନବୀନ ବାବୁଙ୍କ ଉକ୍ତି ସମ୍ପୂର୍ଣ୍ଣ ନୈରାଶ୍ୟ ଜନକ ଏବଂ ହଠାତ ନିଦରୁ ଉଠି ପ୍ରଳାପ ଭଳି ମନେ ହେଉଛି ।
ପ୍ରକାଶ ଯୋଗ୍ୟ, ଆଜି ମହାନଦୀ ଜଳ ବିବାଦର ୫୦ତମ ଶୁଣାଣି ହୋଇଛି । ଶୁଣାଣିକୁ ମାର୍ଚ୍ଚ ୧୪ ତାରିଖକୁ ପୁନଃଘୁଞ୍ଚାଇ ଦିଆଯାଇଛି । ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲ୍ ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଏକ ସ୍ଥାନ ପରିଦର୍ଶନ କରିବେ । ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଏପ୍ରିଲ ୧୩ ତାରିଖରେ ଶେଷ ହେବାକୁ ଯାଉଛି । ଓଡ଼ିଶା ଏବଂ ଛତିଶଗଡ଼ ଉଭୟ କେନ୍ଦ୍ରକୁ ୨୭ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଅନୁରୋଧ କରିସାରିଛନ୍ତି । କାର୍ଯ୍ୟରେ ବିଳମ୍ବ ଘଟିଲା କାରଣ ଅଧ୍ୟକ୍ଷଙ୍କ ପଦ ନଅ ମାସ ଧରି ଖାଲି ରହିଥିଲା, ସେହି ସମୟ ମଧ୍ୟରେ କାର୍ଯ୍ୟ ବନ୍ଦ ରହିଥିଲା।
ଆଟର୍ଣ୍ଣି ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ନିଶ୍ଚିତ କରିଛନ୍ତି ଯେ ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଶୁଣାଣିରେ ବିଳମ୍ବର କାରଣ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରିବ୍ୟୁନାଲର କାର୍ଯ୍ୟସୂଚୀ ପ୍ରଭାବିତ ହୋଇଥିଲା, ଯାହା ଫଳରେ କାର୍ଯ୍ୟ ସ୍ଥଗିତ ରହିଥିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଚାପ ପକାଇ ଚାଲିଥିବାରୁ ଆଗାମୀ ଶୁଣାଣି ଗୁରୁତ୍ୱପୂର୍ଣ୍ଣ ହେବ। ଚୂଡ଼ାନ୍ତ ଯୁକ୍ତି ପୂର୍ବରୁ ଭୂମିଗତ ବାସ୍ତବତା ମୂଲ୍ୟାଙ୍କନ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ସ୍ପଟ୍ ପରିଦର୍ଶନର ଲକ୍ଷ୍ୟ ରହିଛି ।