କୋରାପୁଟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ଆସିଛି କଡ଼ା ମେସେଜ୍। ବିଦ୍ୟାଳୟ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି କୌଣସି ଭାବରେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ସେ ଶିକ୍ଷକମାନଙ୍କୁ ସତର୍କ କରାଇ କହିଛନ୍ତି, ଛାତ୍ରଛାତ୍ରୀ କୌଣସି ବିଷୟରେ ଫେଲ୍ ହେଲେ ସେନେଇ ଶିକ୍ଷକ ଦାୟୀ ରହିବେ।
ବୈଠକରେ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକର ସ୍ଥିତିର ଖୋଲାଚର୍ଚ୍ଚା ହୋଇଥିଲା। ସ୍କୁଲ ଭିତ୍ତିଭୂମି ସୁଦୃଢ଼ କରିବା, ଅପର୍ଯ୍ୟାପ୍ତ ଗୃହ ଚିହ୍ନଟ କରିବା ଓ ବିପଦସଙ୍କୁଳ ଭବନକୁ ତୁରନ୍ତ ଭାଙ୍ଗିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଗୁଣାତ୍ମକ ଶିକ୍ଷାକୁ ନେଇ ସେ ବିଶେଷ ଗୁରୁତ୍ୱ ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ଭୟ ଦୂର କରି ସହଜ ଶିକ୍ଷା ପରିବେଶ ତିଆରି କରିବା ଆବଶ୍ୟକ। ଶତପ୍ରତିଶତ ସଫଳତା ଲକ୍ଷ୍ୟରେ ମେଧାବୀ ବୃତ୍ତି ପାଇଁ ମଧ୍ୟ ପ୍ରୟାସ ବଢ଼ାଇବାକୁ ସେ ଆହ୍ୱାନ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କ ଖାଦ୍ୟ ସୁରକ୍ଷାକୁ ନେଇ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ପ୍ରଦାନ ପୂର୍ବରୁ ଶିକ୍ଷକମାନେ ନିଜେ ଯାଞ୍ଚ କରିବା, ବାସି ଖାଦ୍ୟ ଦେବାକୁ ପୁରାପୁରି ନିଷେଧ ଓ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ତାଗିଦ କରାଯାଇଛି। ସେହିପରି ପାନୀୟ ଜଳ, ପାଇଖାନା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାରେ କୌଣସି ଅବହେଳା ନ ହେବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ମିଳିଛି।
ଏଥିସହ ଯେଉଁ ପ୍ରଧାନଶିକ୍ଷକମାନେ ସ୍କୁଲ ସମସ୍ୟା ସମାଧାନରେ ବିଫଳ ହେବେ, ସେମାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଜିଲାପାଳ ସତର୍କ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ତୃପ୍ତି ବରାଇ, ସ୍ନେହପ୍ରଭା ମାଝୀ, ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ ପ୍ରଧାନଶିକ୍ଷକମାନେ ଉପସ୍ଥିତ ଥିଲେ।