ଚାଷୀଙ୍କ ପବିତ୍ର ପର୍ବ ଅକ୍ଷୟ ତୃତୀୟାକୁ ଆଗରୁ ଓଡ଼ିଶାର କୃଷି ପରିବେଶ ଉତ୍ସାହରେ ଭରିଯାଇଛି। ଆସନ୍ତାକାଲି କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଅଖିମୁଠି ଅନୁକୂଳ’ କରି ଖରିଫ ଚାଷ ଋତୁର ଶୁଭାରମ୍ଭ କରିବେ। ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର (ଏନ୍ଆର୍ଆର୍ଆଇ)ରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ, ସକାଳୁଠୁ ପୂଜା-ପାଠ ଓ କୃଷି ସମ୍ପର୍କିତ ଅନେକ କାର୍ଯ୍ୟସୂଚୀ ରହିଛି।
ସକାଳ ୮.୪୫ରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବେ ଓ ୯.୧୦ରୁ ୯.୪୦ ପର୍ଯ୍ୟନ୍ତ ଅଖିମୁଠି ଅନୁକୂଳ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଏକ କୃଷି ପ୍ରଦର୍ଶନୀ ଉଦ୍ଘାଟନ ସହିତ ସଭାର ଆୟୋଜନ ହେବ। ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ ଓ ଏନ୍ଆର୍ଆର୍ଆଇ ନିର୍ଦ୍ଦେଶକ ସହିତ ଅନେକ ଅତିଥି ଏଥିରେ ଯୋଗଦେବେ। ବିଶେଷ କରି ବଡ଼ମ୍ବା ଅଞ୍ଚଳର ଆଖୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବେ। ସଭା ପରେ ‘କୃଷି ରଥ’କୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ ଓ ବିହନ ବୁଣା କାର୍ଯ୍ୟକ୍ରମ ମଧ୍ୟ ହେବ।
ତେବେ ଏହି ଉତ୍ସବମୁଖର ପରିବେଶ ମଧ୍ୟରେ ଚାଷୀଙ୍କ ମନରେ ଚିନ୍ତା ମଧ୍ୟ ଦେଖାଯାଉଛି। ସରକାରୀ ବିହନ ଏପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଚାଷୀଙ୍କ ନିକଟକୁ ପହଞ୍ଚି ପାରିନି। କୃଷି ଅଧିକାରୀଙ୍କ ପାଖରେ ବିହନ ମହଜୁଦ ରହିଥିଲେ ମଧ୍ୟ, ବଣ୍ଟନରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଦ୍ଵନ୍ଦରେ ପଡ଼ିଛନ୍ତି। ଅକ୍ଷୟ ତୃତୀୟା ପରେ ସାଧାରଣତଃ ବିହନ ବୁଣା ଆରମ୍ଭ ହୁଏ, କିନ୍ତୁ ବିହନ ନ ମିଳିଲେ ଚାଷ କେମିତି ଆରମ୍ଭ ହେବ, ସେନେଇ ପ୍ରଶ୍ନ ଉଠୁଛି। ଏବେ ସମସ୍ତଙ୍କ ନଜର ରହିଛି ଉତ୍ସବ ସହିତ ସରକାର କେତେ ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରିପାରିବ।