ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ତାତି। ଗୁଳିଗୁଳି ଏବଂ ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ତେବେ ଆଗକୁ ଏହି ସ୍ଥିତି ଆହୁରି ଅସମ୍ଭାଳ ହେବ। ସବୁଠୁ ଅଧିକ ସିଝିବ ପଶ୍ଚିମ ଓଡ଼ିଶା। ଉକ୍ତ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ଭୀଷଣ ତାତି ଓ ଗ୍ରୀଷ୍ମପ୍ରବାହ ପାଇଁ ଆଉ ୬ଟି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଶୁକ୍ରବାର ୩ଟି ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିଲା। ଶନିବାର ଆଉ ୬ ଜିଲ୍ଲା ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି। ତେବେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ବହିପାରେ।
ତେବେ ଉପକୂଳ ଓଡ଼ିଶାରେ ତାତି କମ ରହିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିବ। ପ୍ରାୟ ୭୦% ଆର୍ଦ୍ରତା ରହିବା ଯୋଗୁ ୪୭ରୁ ୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗୁଳୁଗୁଳି ରହିବ। ପଶ୍ଚିମ ଓଡ଼ିଶାରେ ୨୨ ତାରିଖ ଯାଏ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବନି। ତେବେ ତାତି ବୃଦ୍ଧି ହେତୁ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ବ୍ୟାପକ ପ୍ରଭାବ ପକାଇଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି।
ଦିନର ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଲୋକମାନଙ୍କୁ ପ୍ରଚୁର ପାଣି ପେଇବା ସହ ହାଲୁକା ପୋଶାକ ପିନ୍ଧିବା ଓ ହିଟ୍ଷ୍ଟ୍ରୋକ୍ରୁ ରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ତେବେ ତାଟିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଏହାସହିତ ଅଂଶୁଘାତ ମୁକାବିଲା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ସଜାଗ ଥିବା ସୂଚନା ରହିଛି।
ଅଧିକ ପଢନ୍ତୁ ; କଲବଲ କରୁଛି ଖରାକୁ ଗୁଳୁଗୁଳି, ଆଜିଠାରୁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି