ଗଞ୍ଜାମ/କୋରାପୁଟ: ରାଜ୍ୟରେ ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ସ୍କୁଲ୍ ଭ୍ୟାନ ଓଲଟିବାରୁ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଅନ୍ୟପକ୍ଷେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଏକ ବରଯାତ୍ରୀ ଗାଡ଼ି ଓଲଟି ୧୩ ଜଣ ଗୁରୁତର ହୋଇଛନ୍ତି ।
ଆଜି ସକାଳେ ଗଞ୍ଜାମ ଜିଲ୍ଲା ଚାନ୍ଦପୁର ଅଞ୍ଚଳରୁ ଭ୍ୟାନଟି ୧୨ ଜଣ ପିଲାଙ୍କୁ ନେଇ ପିତାତଳି ଆଦର୍ଶ ବିଦ୍ୟାଳୟ ଯାଉଥିଲା । ଚିକିଟି ଇଲେକ୍ଟ୍ରିକ୍ ଅଫିସ ନିକଟରେ ସ୍କୁଲ୍ ଭ୍ୟାନ ହଠାତ୍ ଏକ ପୋଲ ସହ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଁଚି ସମସ୍ତ ପିଲା ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଖି ଲାଖି ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି । ପୋଲିସ୍ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।
ଅନ୍ୟପକ୍ଷେ କୋରାପୁଟ ଜିଲ୍ଲା ବୋରିପୁଟ ଘାଟିରେ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିଛି । ବନ୍ଧୁଗାଁ ବ୍ଲକ୍ ଜାଙ୍ଗିଡ଼ିବାଲସା ଗ୍ରାମର ୪୦ରୁ ଉର୍ଦ୍ଧ୍ୱ ଲୋକେ ନାରାୟଣପାଟଣା ଥାନା ବାଲାପୁର ଗ୍ରାମକୁ ବିବାହ ଭୋଜିକୁ ଯାଇଥିଲେ । ଭୋଜିରୁ ଫେରିବା ସମୟରେ ବସଟି ବୋରିପୁଟ ଘାଟିରେ ଓଲଟିପଡ଼ିଥିଲା । ଫଳରେ ୩୩ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କୋରାପୁଟ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିପରି ଦୁର୍ଘଟଣା ହେଲା ସେ ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ ।