ଭୁବନେଶ୍ୱର: ଟାଣ ଖରାକୁ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରିଦେଲାଣି । ସେପଟେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପାରଦ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ବଢ଼ୁଥିବା ତାପମାତ୍ରାକୁ ଦେଖି ବିଭିନ୍ନ ଜିଲ୍ଲା ପ୍ରଶାସନ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ଆଜିଠାରୁ ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାରେ ସାମୟିକ ଛୁଟି ଘୋଷଣା ହୋଇଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖିବ କଳାହାଣ୍ଡି ଜିଲ୍ଲାରେ ୪ ଦିନ ପାଇଁ ଛୁଟି ଘୋଷଣା ହୋଇଛି । ଆଜିଠାରୁ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି ସେଣ୍ଟରକୁ ଛୁଟି ଘୋଷଣା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ସପ୍ଳିମେଣ୍ଟେରୀ ପରିକ୍ଷା ପାଇଁ ସକାଳ ୭ରୁ ୯ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବୌଦ୍ଧ ଜିଲ୍ଲାରେ ୫ ଦିନ ଯାଏଁ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରାଯାଇଛି।। ଏପ୍ରିଲ ୧୮ ରୁ ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେବେ ଜାରି ରହିଥିବା ପରୀକ୍ଷାକୁ ସକାଳେ କରିବାକୁ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ଛୁଟି ହୋଇଛି । ଏପ୍ରିଲ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । । ଗ୍ରୀଷ୍ମ ସ୍ଥିତିକୁ ଦେଖି ପରବର୍ତ୍ତୀ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାପାଳ ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବ । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ରୁ ସମସ୍ତ ସ୍କୁଲ, କଲେଜ ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଗୁଡ଼ିକ ଜାରି ରହିବ ।