ଭୁବନେଶ୍ୱର: ରାଜ୍ୟରେ ଆଉ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଗଡ଼ିବନି ନନ୍-ଏସି ବସ୍ । ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜସ୍ୱ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜସ୍ୱ ବିଭାଗ ପକ୍ଷରୁ ଗରମକୁ ଦେଖି ନୂତନ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଅଧିକ ଖରା ହେଉଥିବା ସ୍ଥାନରେ ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟ ସ୍ଥଳୀ । ଯାତ୍ରୀ ଏବଂ ମାଲ ପରିବହନ ପାଇଁ ନିୟମ କରାଯାଇଛି । ପୂର୍ବାହ୍ନ ୧୧ରୁ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍ ପରିବହନ ଉପରେ ତଦାରଖ କରାଯିବ । ଏହି ନିର୍ଦ୍ଧାରିତ ସମୟରେ ନନ୍-ଏସି ଗାଡ଼ି ଚାଲି ପାରିବ ନାହିଁ । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତେବେ ମାଲିକ ଏଥିପାଇଁ ଦାୟୀ ରହିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରାସ୍ତାରେ ଡ୍ରାଇଭରଙ୍କ ପାଇଁ ଓଆରଏସ୍ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ।
ସେହିପରି ଅଂଶୁଘାତର ଶୀକାର ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ ଘଣ୍ଟାରେ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ରାଜ୍ୟରେ ଅସହ୍ୟ ଗରମ ପାଇଁ ମୋଟ ଆଠଟି ଜିଲ୍ଲାରେ ଏଯାବତ ସାମୟିକ ଭାବେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି ।