ପୁରୀ: ଆଉ ଦିନକ ପରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମଦନ ମୋହନ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି । ବାଣ ଫୁଟାଇଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂହ ।
ଏସପି ସୂଚନା ଦେଇଛନ୍ତି ଯେ ଶ୍ରୀମନ୍ଦିର ପରମ୍ପରା ମୁତାବକ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବାଣ ଫୁଟାଯିବ ନାହିଁ । ୨୧ ଦିନ ଧରି ହେବାକୁ ଏହି ପବିତ୍ର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣଠାରୁ ଆରମ୍ଭ ସୁରକ୍ଷା ଉପରେ ପୋଲିସ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ସିସିଟିଭି ନଜରରେ ରହିବ । ଜଣେ ଅତିରିକ୍ତ ଏସ୍ପି, ୫ ଡିଏସ୍ପି, ୮ ଇନ୍ସପେକ୍ଟର, ୨୦ ଏଏସ୍ଆଇ ଓ ଏସ୍ଆଇ ଏବଂ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୯ ମେ, ୨୦୨୪ ମସିହା ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଚାପ ଚାଲିଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା । ଦେବୀଘାଟ ନିକଟ ଦସତୁଠ ପାଖରେ ଆତସବାଜି ହେଉଥିବା ସମୟରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ୧୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଥିଲା ।