ଭୁବନେଶ୍ୱର: ଆସନ୍ତାକାଲି ପୁରୀରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ସ୍ତରର ବାଚସ୍ପତି ସମ୍ମିଳନୀ, ଯାହାକୁ ନେଇ ରାଜନୈତିକ ଓ ସାଂସଦୀୟ ମହଳରେ ଚର୍ଚ୍ଚା ବଢ଼ିଛି। ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ଏହି ସମ୍ମିଳନୀକୁ ଆୟୋଜନ କରୁଛି।
ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରେୱକର ଏହାର ଅଧ୍ୟକ୍ଷତା କରିବେ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ମିଳନୀର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ ମହାରାଷ୍ଟ୍ର, ଓଡ଼ିଶା ସହ କର୍ଣ୍ଣାଟକ ଓ ନାଗାଲାଣ୍ଡ ବିଧାନସଭାର ବାଚସ୍ପତିମାନେ ଯୋଗଦେବେ। ସମ୍ମିଳନୀରେ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିରୋଧ ଆଇନର ପ୍ରାସଙ୍ଗିକତା, ବର୍ତ୍ତମାନ ପରିପେକ୍ଷୀରେ ଏହାର ପରିଣତି ଓ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହେବ।
ବିଶେଷ କରି ରାଜନୀତିରେ ବଢ଼ୁଥିବା ଦଳବଦଳ ପ୍ରବଣତାକୁ କିପରି ରୋକାଯାଇପାରିବ, ତାହା ନେଇ ମନ୍ଥନ ହେବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ। ଏହି ବୈଠକ ଆଗାମୀ ଦିନରେ ସାଂସଦୀୟ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବାରେ ମାର୍ଗଦର୍ଶନ ଦେବ ବୋଲି ଆଶା କରାଯାଉଛି।ଏ ହି ସମ୍ମିଳନୀରେ ସମ୍ବିଧାନ ବିଶେଷଜ୍ଞମାନଙ୍କ ସହ ଓଡ଼ିଶାର ଆଡ଼୍ଭୋକେଟ୍ ଜେନେରାଲ ଏବଂ ଲୋକସଭା ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଧାନସଭାର ସଚିବମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।