ଭୁବନେଶ୍ୱର: ଆସନ୍ତାକାଲି ରାଜଧାନୀରେ ଗର୍ଜିବେ ମହିଳା ଶକ୍ତି। ବିଜେପି ପକ୍ଷରୁ ଆୟୋଜିତ ବିଶାଳ “ମହିଳା ଜନଆକ୍ରୋଶ ସମାବେଶ” ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ସମର୍ଥନ ନମିଳିବାକୁ କେନ୍ଦ୍ର କରି ବିଜେପି ରାଜ୍ୟରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ ଜନମତ ସୃଷ୍ଟି ପାଇଁ ମେଗା କ୍ୟାମ୍ପେନ ଆରମ୍ଭ କରିଛି। ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ପର୍ଯ୍ୟନ୍ତ ହେବ ବିଶାଳ ରାଲି, ଯେଉଁଥିରେ ୫୦ ହଜାରରୁ ଅଧିକ ମହିଳାଙ୍କ ସାମିଲ ହେବା ଲକ୍ଷ୍ୟ ରହିଛି।
ସେହିପରି ୨୪ ଓ ୨୫ ତାରିଖରେ ସମସ୍ତ ସାଂଗଠନିକ ଜିଲ୍ଲାରେ “ମହିଳା ଜନଆକ୍ରୋଶ ସମ୍ମିଳନୀ” ଓ ୨୭ରୁ ୨୯ ପର୍ଯ୍ୟନ୍ତ ମଣ୍ଡଳସ୍ତରରେ ପଦଯାତ୍ରା ଆୟୋଜନ କରାଯିବ। ଏହା ସହିତ ରାଜ୍ୟର ବିଭିନ୍ନ ମହିଳା କଲେଜ ଓ ବିଶ୍ୱବିଦ୍ୟାଳୟରେ ଯାଇ ବିଜେପି ମହିଳା ମୋର୍ଚ୍ଚା ସଚେତନତା ଅଭିଯାନ ଚାଲାଇବ। ଏହି ଆନ୍ଦୋଳନ ପାର୍ଲିଆମେଣ୍ଟରୁ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସାରିତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିରୋଧୀ ଦଳଙ୍କ ଆଚରଣ ମହିଳା ସମ୍ମାନକୁ ଆଘାତ କରିଛି ଓ ଏହାର ପ୍ରତିଫଳନ ଲୋକମାନେ ଦେଖେଇବେ।
ତେବେ ରାଜନୀତିକ ତାତି ମଧ୍ୟରେ ଏହି ମହିଳା ଆନ୍ଦୋଳନ ଆସନ୍ତା ଦିନରେ ରାଜ୍ୟର ରାଜନୀତିକୁ କେତେ ପରିବର୍ତ୍ତନ କରିବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।
ଅଧିକ ପଢନ୍ତୁ: ବିଲ୍ କାଟ ପରେ ବିବାଦ ତୀବ୍ର; ବିରୋଧୀଙ୍କ ‘ଅସଲ ମୁହଁ’ ଖୋଲିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କହିଲେ, ପାର୍ଲିଆମେଣ୍ଟରୁ ପଞ୍ଚାୟତ ଯାଏଁ ହେବ ଲଢ଼େଇ