ପୁରୀ: ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେଲା ରଥ ନିର୍ମାଣ। ପ୍ରଥମ ପର୍ଯ୍ୟାୟରେ ଚକ ପାଇଁ ୪୨ଟି ତୁମ୍ୱ ନିର୍ମାଣ କାର୍ଯ୍ୟ ହେବ। ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ତିନି ରଥର ନିର୍ମାଣ ପାଇଁ ଅନୁକୂଳ ହୋଇଛି। ଆଜିଠାରୁ ଚଳଚଞ୍ଚଳ ହୋଇଛି ଶ୍ରୀନହର ସମ୍ମୁଖ ରଥ ଖଳା।
ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ରଥ ନିର୍ମାଣରେ ଲାଗି ପଡିଛନ୍ତି କାରିଗର। ପ୍ରଥମେ ରଥ ଖଳାରେ ତିନି ରଥର ମହାରଣା ରଥ କାଠକୁ ପୂଜା କରିବା ପରେ କାଠ କାଟିବା ଆରମ୍ଭ କରିଛନ୍ତି କରତି ସେବକ। ପ୍ରଥମେ ରଥ ଚକ ନିର୍ମାଣ କାର୍ଯ୍ୟ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ହେବାକୁ ଥିବାରୁ ଫାଶୀ କାଠକୁ କଟାଯାଇ ତୁମ୍ୱ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ।
ତିନି ରଥ ମହାରଣାଙ୍କୁ କାଠ କଟାଯାଇ ପ୍ରଦାନ ପରେ ତୁମ୍ୱ ନିର୍ମାଣ ଆରମ୍ଭ ହେବ। ବିଶ୍ୱକର୍ମା ମହାରଣା ସେବକମାନେ ତିନି ରଥ ଚକ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରିବେ। ତୁମ୍ୱ ନିର୍ମାଣ ପରେ ସୂତା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ବିଭିନ୍ନ କାର୍ଯ୍ୟ ଆଗେଇବ। ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରଥ ନିର୍ମାଣରେ ନିୟୋଜିତ ସେବକମାନେ ବେଶ ଉତ୍ସାହିତ ଅଛନ୍ତି। ଚଳିତ ରଥଯାତ୍ରା କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି ବିଶ୍ୱକର୍ମା ଓ ଭୋଇ ସେବକ।
ଗତକାଲି (ସୋମବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହେବା ପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିଥିଲା। ଏହାପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ସେହିପରି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ୱାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା।
ଅଧିକ ପଢନ୍ତୁ: ସୁନା କୁରାଢିରେ ଆରମ୍ଭ ହେଲା ରଥ ନିର୍ମାଣର ଶୁଭାରମ୍ଭ; ମନ୍ତ୍ରଧ୍ୱନିରେ ଗୁଞ୍ଜିଲା ବଡ଼ଦାଣ୍ଡ